ଯାଜପୁର: ଜମି ବିକ୍ରି ଅନୁମତି ପ୍ରଦାନ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ସବ୍-କଲେକ୍ଟର କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ) ପ୍ରସନ୍ନ କୁମାର ସାହାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ୧୬ ଡିସିମିଲ ଜମି କିଣିବା ପାଇଁ ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସମ୍ପୃକ୍ତ ଜମିଟି ଅନୁସୂଚିତ ଜାତି (ଏସସି) ବର୍ଗର ହୋଇଥିବାରୁ ସରକାରୀ ନିୟମାନୁସାରେ ପ୍ରଶାସନିକ ଅନୁମତି ଆବଶ୍ୟକ ଥିଲା। ସେ ଗତ ବର୍ଷ ନଭେମ୍ବର ୨୯ ତାରିଖରେ ଏଥିପାଇଁ ଆବେଦନ କରିଥିଲେ ମଧ୍ୟ କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ ଲାଞ୍ଚ ଆଶାରେ ଜାଣିଶୁଣି ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ। ଶ୍ରୀ ସାହାଣୀ ଡିସିମିଲ ପିଛା ୩ ହଜାର ଟଙ୍କା ହିସାବରେ ମୋଟ ୪୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ନେହାପେହା ହୋଇ ଆବେଦନକାରୀ ୪୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ମାତ୍ର ଲାଞ୍ଚ ଦେବାକୁ ଚାହୁଁନଥିବା ଆବେଦନକାରୀ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ପୂର୍ବ ଯୋଜନା ମୁତାବକ, ଆଜି ଆବେଦନକାରୀ ଜଣକ ସବ୍-କଲେକ୍ଟର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରସନ୍ନ ସାହାଣୀଙ୍କୁ ୪୦ ହଜାର ଟଙ୍କା ଦେଉଥିବା ବେଳେ ଓଲପୁର ଭିଜିଲାନ୍ସ ଟିମ୍ ଚଢ଼ଉ କରି ତାଙ୍କୁ ରଙ୍ଗେହାତ ଧରିଥିଲେ। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ମାମଲା ନଂ-୩୭/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ (୨୦୧୮)ର ଧାରା ୭ ଅନୁଯାୟୀ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


