ଖୋରଧା: ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଖୋରଧା ତଥା ଜିଲ୍ଲା ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ଯୋଜନାର ଶୁଭାରମ୍ଭ ହୋଇଯାଇଅଛି। ରାଜ୍ୟ ସ୍ତରରେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ରାଜ୍ୟ ସମବାୟ ବିଭାଗ ଆନୁକୁଲ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ଶାସନ ସଚିବ ଏବଂ ଅନ୍ୟ ଶାସନ ସଚିବ ଙ୍କ ଗହଣରେ ରିମୋଟ ବଟମ ଦବାଇ ସମଗ୍ର ରାଜ୍ୟ ପାଇଁ ଯୋଜନାର ଲୋକାର୍ପଣ କରିଥିଲେ।
ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ସମବାୟ ସମିତିର ସହେ ବର୍ଷର ଇତିହାସ ରହିଅଛି। ବର୍ତ୍ତମାନ ସମବାୟ ଆମ ସମାଜର ଜୀବନରେଖା ପାଲଟି ଯାଇଛି, ତୃଣମୂଳ ସ୍ତରରେ ପ୍ରତ୍ୟେକ ପରିବାରରୁ”ସମ୍ବନ୍ଧ”ରେ ଜଣକୁ ସାମିଲ କରି ସମବାୟ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ଏକ ମହତକାଙ୍କ୍ଷୀ ଯୋଜନା ଯାହା ବିକଶିତ ଓଡ଼ିଶା @୨୦୩୬ ଏବଂ ବିକଶିତ ଭାରତ@୨୦୪୭ ସଫଳ ହେବାରେ ମେରୁଦଣ୍ଡ ସାଜିବ।
ସେ ଆହୁରି କହିଥିଲେ ଯେ, “ସମ୍ବନ୍ଧ” କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଯେଉଁ ଯୋଜନା”ସମ୍ବନ୍ଧ” ଲୋକାର୍ପଣ ହେଲା ତାହା ଖୁବ୍ ଉଚ୍ଚକୋଟୀର ଅଟେ। ଛାତ୍ର/ଗୁରୁଙ୍କ ସମ୍ପର୍କ, ଅଧିକାରୀ ଓ କର୍ମଚାରୀ ମାନଙ୍କ ସମ୍ପର୍କ, ଶାସକ ଓ ପ୍ରଶାସକଙ୍କ ମଧ୍ୟରେ ସମ୍ପର୍କ ସମାଜ ଓ ରାଷ୍ଟ୍ର ପାଇଁ ଉନ୍ନତିର ପଥ ଦେଖାଇଥାଏ, ସେହିପରି “ସମ୍ବନ୍ଧ ” ଯୋଜନା ସମବାୟ ସମିତି, ବ୍ୟାଙ୍କ୍ ଏବଂ ସଦସ୍ୟ/ସଦସ୍ୟା ମାନଙ୍କ ସହ ସମନ୍ୱୟ ରଖି ତୃଣ ମୂଳ ସ୍ତରରେ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବ ବୋଲି ପ୍ରକାଶ କରିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ସମବାୟ ସଦସ୍ୟ ଅଭିଯାନ”ସମ୍ବନ୍ଧ ” ପ୍ରତ୍ୟେକ ପରିବାରରୁ ଏକ ଜଣ ସଦସ୍ୟ ରହି ସରକାରୀ ଯୋଜନାରେ ସାମିଲ ହୋଇ ଆର୍ଥିକ ସ୍ଥିତି ମଜବୁତ୍ କରିବାକୁ କହିଥିଲେ। ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ ଯୋଗଦେଇ କହିଲେ ଯେ, “ସମ୍ବନ୍ଧ”ଯୋଜନା ସଦସ୍ୟ/ସଦସ୍ୟା ମାନଙ୍କୁ ବହୁମୁଖୀ ଦକ୍ଷତା ଯୋଗାଇ ସମବାୟ ସଶକ୍ତି କରଣ କୁ ଅଧିକରୁ ଅଧିକ ମଜବୁତ୍ କରିବ ବୋଲି କହିଥିଲେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ଯୋଗଦେଇ କହିଲେ ଯେ, ଗ୍ରାମୀଣ ବିକାଶ ଧାରାରେ, ବନ୍ଧୁତ୍ଵପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ସମସ୍ୟା ଗୁଡ଼ିକୁ ସମାଧାନ ଦିଗରେ ସମବାୟ ସମିତି ଅଗ୍ରଣୀ ଭୂମିକା ନିର୍ବାହ କରିବ। ଉପ ନିବନ୍ଧକ, ସମବାୟ ସମିତି (ଖୋରଧା) ଅଳକାନନ୍ଦା ଜେନା ଯୋଗଦେଇ ସମବାୟ ସମିତି ଓ ନାଫେଡ ବଜାର ଯୋଜନାର ସୁଫଳ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
ଜିଲ୍ଲାରେ ୧୧୦ଗୋଟି ସମବାୟ ସମିତି କାର୍ଯ୍ୟକ୍ଷମ ଅଛି ବୋଲି ସୂଚନା ଦେଇଥିଲେ। ସହକାରୀ ନିବନ୍ଧକ, ସମବାୟ ସମିତି ଭାଗବତ ମାରାଣ୍ଡି ଯୋଗଦେଇ କହିଲେ ଜିଲ୍ଲାରେ ୭୦ ହଜାର ମେମ୍ବର ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ଏବଂ ସରକାରଙ୍କ ପକ୍ଷରୁ ଦୁଇମାସ ସମୟ ଦିଆଯାଇଛି। ସମବାୟ ସମିତି ସଭାପତି/ସମ୍ପାଦକ ତାଙ୍କର ମୋବାଇଲ ଆପ ରେ କାର୍ଯ୍ୟ ସରକାରଙ୍କ ନୀୟମାନୁସାରେ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟ କାର୍ଯ୍ୟ ନିର୍ବାହୀ, କେନ୍ଦ୍ର ସମବାୟ ବ୍ୟାଙ୍କ ସାରଥୀ ଶତପଥୀ ସମବାୟ ସମିତି ପ୍ରଗତି ପଥେ ଆଗେଇ ଚାଲିଛି ବୋଲି ଉତ୍ଥାପନ କରି ବିଭିନ୍ନ ସେବା ଦିଗରେ ଆଲୋକ ପାତ କରିଥିଲେ। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହକାରୀ ନିବନ୍ଧକ, ସମବାୟ ସମିତି, ଭୁବନେଶ୍ୱର, ମିହିକା ଦାସ ପ୍ରଦାନ କରିଥିଲେ।
ସେହିପରି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଅଡିଟର ଜେନେରାଲ ସମବାୟ ସମିତି ଭବାନୀ ଶଙ୍କର ପୁଷ୍ପାଳକ ଯୋଗଦେଇ “ସମ୍ବନ୍ଧ” ଯୋଜନା ଉପରେ ମତ ରଖିଥିଲେ। ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଚାରା କୁଣ୍ଡ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦିବସରେ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସମବାୟ ସମିତି ସଭାପତି, ସମ୍ପାଦକ, ସଦସ୍ୟ ସଦସ୍ୟା, ବ୍ୟାଙ୍କ୍ କର୍ମଚାରୀ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନ ପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


