କଟକ, : ନିଆଳି ଅଞ୍ଚଳରେ ଚାଲିଥିବା ଅପମିଶ୍ରିତ ପନିର କାରବାର ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) ଅମିତା ଦାସଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ନିଆଳି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣାସ୍ଥିତ ଏକ ବିଶେଷଜ୍ଞ ଲ୍ୟାବ୍କୁ ପଠାଯାଇଥିଲା। ସେଠାରୁ ଆସିଥିବା ରିପୋର୍ଟରେ ପନିର ଅପମିଶ୍ରିତ ଥିବା ସ୍ପଷ୍ଟ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଲୋକଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଖାଦ୍ୟ ସୁରକ୍ଷା ବିଭାଗର ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ, ଏହି ଘଟଣାରେ ତଦାରଖି ଓ କାର୍ଯ୍ୟାନୁଷ୍ଠାନରେ ଅବହେଳା ଦର୍ଶାଇ ସରକାର ତୁରନ୍ତ ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟାନୁଷ୍ଠାନ ପରେ କଟକ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ନମୁନା ଯାଞ୍ଚ ଓ ଅପମିଶ୍ରଣ ବିରୋଧୀ ଅଭିଯାନ ଆହୁରି କଡ଼ାକଡ଼ି ହେବା ନେଇ ଆଶା କରାଯାଉଛି। ବିଶେଷକରି ପନିର, କ୍ଷୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ ଉପରେ କଡ଼ା ନଜର ରଖାଯିବ। ତେବେ ଏହି ବେଆଇନ୍ ଅପମିଶ୍ରଣ କାରବାରରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ବିରୋଧରେ ଆଗକୁ ପ୍ରଶାସନ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


