ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ପ୍ରତ୍ୟେକ ସୋମବାରକୁ ‘ଅଣ-ବୈଠକ ଦିବସ’ (Non-Meeting Day) ଭାବେ ପାଳନ କରାଯିବ। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି।
ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀମାନେ ବୈଠକରେ ବ୍ୟସ୍ତ ରହୁଥିବାରୁ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅତି ଜରୁରୀ ପରିସ୍ଥିତି ନଥିଲେ ସୋମବାର ଦିନ କୌଣସି ପ୍ରକାର ସରକାରୀ ବୈଠକ ନରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଫଳରେ ଉଚ୍ଚପଦସ୍ଥ ଅଧିକାରୀମାନେ ସାପ୍ତାହିକ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିପାରିବେ ଏବଂ ତାହାର ତୁରନ୍ତ ସମାଧାନ କରିପାରିବେ। ସରକାରଙ୍କ ଏହି ଯୁଗାନ୍ତକାରୀ ନିର୍ଦ୍ଦେଶନାମା ଫଳରେ ସାଧାରଣ ପ୍ରଶାସନିକ ସେବା ଆହୁରି ସ୍ୱଚ୍ଛ, ସୁଗମ ଓ ଜନକୈନ୍ଦ୍ରିକ ହୋଇପାରିବ ବୋଲି ଆଶା କରାଯାଉଛି।


