କଟକ: କଟକରେ ବିପୁଳ ପରିମାଣର ଭେଜାଲ ପନିର ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଆଳି ଅଞ୍ଚଳରୁ କଟକ ମହାନଗର ନିଗମ (କେଏମ୍ସି)ର ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ାଉ କରି ପ୍ରାୟ ୭୩ କ୍ୱିଣ୍ଟାଲ୍ ସନ୍ଦିଗ୍ଧ ପନିର ଓ କଟେଜ୍ ଚିଜ୍ ଜବତ କରିଥିଲା। ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ମାନ୍ୟତାପ୍ରାପ୍ତ ଲ୍ୟାବ୍କୁ ପଠାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ପନିରରେ ଷ୍ଟାର୍ଚ୍ଚ, ମଇଦା ଏବଂ ଡିଟରଜେଣ୍ଟ ସଦୃଶ ଅନୁମୋଦିତ ନଥିବା କ୍ଷତିକାରକ ପଦାର୍ଥ ମିଶିଥିବା ସ୍ପଷ୍ଟ ହୋଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ କେଏମ୍ସି ପକ୍ଷରୁ ମଧୁପାଟଣା ଥାନାରେ ୧୧ ଜଣଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ନିୟମାନୁସାରେ ଜବତ ହୋଇଥିବା ସମସ୍ତ ଭେଜାଲ ପନିରକୁ ନଷ୍ଟ କରିଦିଆଯାଇଛି। ଭେଜାଲ ପନିର ଉତ୍ପାଦନ, ଯୋଗାଣ ଓ ବିକ୍ରି ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ସମେତ ଘଟଣାର ମୂଳ ଉତ୍ସ ଖୋଜିବା ପାଇଁ ପୋଲିସ ଓ ଖାଦ୍ୟ ସୁରକ୍ଷା ବିଭାଗ ତଦନ୍ତ ଚଳାଇଛନ୍ତି। ପାର୍ବଣ ଦିନଗୁଡ଼ିକରେ ପନିର ଓ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ୁଥିବାରୁ, କଟକ ସହରରେ ଭେଜାଲ ଖାଦ୍ୟ କାରବାର ରୋକିବାକୁ ଆଗାମୀ ଦିନରେ ଚଢ଼ାଉ ଓ ନମୁନା ପରୀକ୍ଷାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।


