ନୂଆଦିଲ୍ଲୀ: ସମ୍ଭଲ ହିଂସା ମାମଲାରେ ଅଭିଯୁକ୍ତ ମୁଲ୍ଲା ଅଫରୋଜଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ଅଫରୋଜଙ୍କ ନିରୋଧକ ହେପାଜତ ଆଦେଶକୁ ରଦ୍ଦ କରିବା ସହ ୟୁପି ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ନ୍ୟାୟମୂର୍ତ୍ତି ଦୀପଙ୍କର ଦତ୍ତ ଏବଂ ନ୍ୟାୟମୂର୍ତ୍ତି ଶୀଲ ନାଗୁଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କେବଳ କୌଣସି କଥିତ ସ୍ୱୀକାରୋକ୍ତି ଆଧାରରେ ଜଣଙ୍କୁ ନିରୋଧକ ହେପାଜତରେ ରଖାଯାଇ ପାରିବ ନାହିଁ। ଅଧିକାରୀମାନେ ପରିସ୍ଥିତିର ସଠିକ୍ ତର୍ଜମା ନକରି ନିଜ କ୍ଷମତାର ଦୁରୂପଯୋଗ କରିଛନ୍ତି। ନିରୋଧକ ଅଟକ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନୁହେଁ। ଏହା ସହିତ କାର୍ଯ୍ୟାନୁଷ୍ଠାନରେ ୫୪ ଦିନର ବିଳମ୍ବକୁ ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଘଟଣା ଦିନରୁ ପର୍ଯ୍ୟାପ୍ତ ସିସିଟିଭି ଫୁଟେଜ୍ ଉପଲବ୍ଧ ଥିବା ସତ୍ତ୍ୱେ କାହିଁକି ଏତେ ବିଳମ୍ବ କରାଗଲା ବୋଲି ଖଣ୍ଡପୀଠ ପଚାରିଛନ୍ତି।
ନଭେମ୍ବର ୨୦୨୪ରେ ସମ୍ଭଲର ଶାହି ଜାମା ମସଜିଦ୍ ସର୍ଭେ ସମୟରେ ହିଂସା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଫରୋଜଙ୍କ ଉପରେ ହିଂସା ଉସୁକାଇବାର ଅଭିଯୋଗ ଥିଲା। ଘଟଣାର ୫୪ ଦିନ ପରେ ଅଫରୋଜଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ, ୧୩ ଅକ୍ଟୋବର ୨୦୨୫ରେ ଆଲାହାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବା ପରେ ରାଜ୍ୟ ସରକାର ତାଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ), ୧୯୮୦ ଅଧୀନରେ ନିରୋଧକ ଅଟକ ଆଦେଶ ଜାରି କରିଥିଲେ।


