ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ୩୦ ସେପ୍ଟେମ୍ବର ୨୦୨୬ରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦାବି ହାସଲ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ସାଧାରଣ ଧର୍ମଘଟ ପାଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏହି ବନ୍ଦ ପାଳନ ସମୟରେ ରାସ୍ତାରୋକ, ଗାଡ଼ିମୋଟର ଅଟକ, ଟାୟାର ଜାଳିବା ଏବଂ ଯାତାୟାତ ବାଧାପ୍ରାପ୍ତ କରିବା ଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଏହି ବନ୍ଦ ଡାକରାକୁ ବିଜୁ ଜନତା ଦଳ (ବିଜେଡି), କଂଗ୍ରେସ ଏବଂ ବାମପନ୍ଥୀ ଦଳ ସମେତ ରାଜ୍ୟର ବିଭିନ୍ନ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସମର୍ଥନ ଓ ସମ୍ମତି ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ ସମଗ୍ର ରାଜ୍ୟରେ ବ୍ୟାପକ ପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା) ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି। ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସମସ୍ତ ପୂର୍ବପ୍ରସ୍ତୁତି ଓ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ, ସେଥିପ୍ରତି କଡ଼ା ନଜର ରଖିବାକୁ କୁହାଯାଇଛି। ଏହାସହିତ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକର ସ୍ୱାଭାବିକ କାର୍ଯ୍ୟଚାଳନା ଏବଂ ନିତ୍ୟାବଶ୍ୟକୀୟ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


