ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଥାନା ପୋଲିସକୁ ମିଳିଛି ଏକ ସଫଳତା । ଆଜି ଭୋର ସମୟରେ ପୋଲିସ ଚଢ଼ଉ କରି ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ତାଙ୍କ ନିଜ ଗାଁରୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଆଧାରରେ ରୋଷେୟା ମନ୍ମଥଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିଲେ। ଗିରଫଦାରୀ ପରେ ପୋଲିସ ତାଙ୍କୁ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର କରିଛି। ଅନ୍ୟପକ୍ଷରେ, ରୋଷେୟା ମନ୍ମଥ କୁମ୍ଭ ଗିରଫ ହେବା ପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ସୌମ୍ୟରଞ୍ଜନଙ୍କ ମାମୁ ଶୀତିକଣ୍ଠ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଶେଷରେ ଆମକୁ ନ୍ୟାୟ ମିଳିଛି।” ଏହାସହ ଏହି ସଂବେଦନଶୀଳ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ସେ ଦାବି କରିଛନ୍ତି।


