ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସମସ୍ତଙ୍କ ପାଇଁ ଅଧିକ ସୁଗମ ଓ ସୁବିଧାଜନକ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ବିଶେଷ କରି ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଅସୁବିଧାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଉତ୍ତର ଦ୍ୱାର ଗୁମୁଟଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇସାରିଛି।
ଏହାସହ ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ଏହି ସ୍ୱେଚ୍ଛାସେବୀମାନେ ଭକ୍ତମାନଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବେ। ଏହି ସୁବିଧାର ସୁଚାରୁ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅନଲାଇନ୍ ପୋର୍ଟାଲ୍ ତଥା ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଏହି ଆପ୍ଲିକେସନ୍ ଜରିଆରେ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ। ଏଥିପାଇଁ ଭାରତୀୟ ରେଡ୍ କ୍ରସ ସୋସାଇଟି ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରିବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ଆଲୋଚନା ହୋଇଛି। ଏନେଇ ଆବଶ୍ୟକୀୟ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଥତା ଜିଲ୍ଲା ରେଡକ୍ରସ୍ ସୋସାଇଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପ୍ରତ୍ୟେକ ଭକ୍ତ ଯେଭଳି ସୁରୁଖୁରୁରେ ଦର୍ଶନ କରିପାରିବେ, ତାହା ପ୍ରଶାସନର ମୁଖ୍ୟ ପ୍ରାଥମିକତା ବୋଲି ସେ କହିଛନ୍ତି।
ଅପରପକ୍ଷରେ, ଗତ ୩୦ ସେପ୍ଟେମ୍ବରରେ ଶୁଭ ମୁହୂର୍ତ୍ତରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେଠାରେ ମଧ୍ୟ ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ଦର୍ଶନ, ହ୍ୱିଲ୍ ଚେୟାର, ସ୍ୱେଚ୍ଛାସେବୀ ଏବଂ ନାଟମଣ୍ଡପରେ ରାମ୍ପ୍ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।


