କଟକ : ଓଡ଼ିଶା ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ବିଚାର ପ୍ରକ୍ରିୟା ବ୍ୟାହତ ହେଉଥିବା ଦେଖାଯାଇଛି। ଏହି ବିଚାରପତି ସଙ୍କଟକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଆଇନଜୀବୀ। ମଞ୍ଜୁରିପ୍ରାପ୍ତ ୩୩ଟି ବିଚାରପତି ପଦବୀ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୫ ଜଣ କାର୍ଯ୍ୟରତ ଅଛନ୍ତି। ଆସନ୍ତା ନଭେମ୍ବରରେ ଆଉ ୨ ଜଣ ବିଚାରପତି ଅବସର ନେବାକୁ ଥିବାରୁ ଏହି ସ୍ଥିତି ଆହୁରି ସଙ୍ଗୀନ ହେବାକୁ ଯାଉଛି।
ବିଚାରପତିଙ୍କ ଅଭାବ ଯୋଗୁଁ ମାମଲା ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱରରେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇନଜୀବୀମାନେ ଭୁବନେଶ୍ୱର କ୍ଲବ୍ରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଖାଲି ପଡ଼ିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି। ପଦଯାତ୍ରା ଶେଷରେ, ରାଜ୍ୟପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ସୁପ୍ରିମକୋର୍ଟ କଲେଜିୟମ୍ର ସୁପାରିଶ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତୁରନ୍ତ ନିଷ୍ପତ୍ତି ନେବାକୁ ନିବେଦନ କରାଯାଇଛି।
ବାର୍ ଆସୋସିଏସନ୍ର ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧.୭ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ରହିବା ନ୍ୟାୟିକ ବ୍ୟବସ୍ଥା ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ତେଣୁ ନୂତନ ନିଯୁକ୍ତି ମାଧ୍ୟମରେ ମାମଲା ଫଇସଲା ପ୍ରକ୍ରିୟାକୁ ଦ୍ରୁତଗାମୀ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଇନଜୀବୀମାନେ ଜୋରଦାର ଦାବି କରିଛନ୍ତି।


