ଭୁବନେଶ୍ୱର: କୋଟି କୋଟି ଟଙ୍କା ସାଇବର ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅଞ୍ଚଳର ସାଇ ଶୁଭଶଙ୍କର (୨୪), ଭଦ୍ରକ ଧୁଷୁରୀ ଥାନା ଅଞ୍ଚଳର ଭବାନୀ ଶଙ୍କର ରଏ (୨୧), ବନ୍ତ ଥାନା ଅଞ୍ଚଳର ବିଶ୍ୱଜିତ ଜେନା (୨୦) ଓ ଶିଶିର କୁମାର ଜେନା (୨୬)। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସେମାନଙ୍କ ଠାରୁ ୮ଟି ମୋବାଇଲ ଜବତ କରିବା ସହ ବିଦେଶୀ ନାଗରିକଙ୍କ ସହ ହୋଇଥିବା ବାର୍ତ୍ତାଳାପ, ଟଙ୍କା ନେଣଦେଣର ତଥ୍ୟ, ବାଣିଜ୍ୟିକ ଆକାଉଣ୍ଟ ଏବଂ ଆପ୍ଲିକେସନ୍ ଫାଇଲ୍ ଆଦି ଠାବ କରିଛି। ଏନେଇ ପୋଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରର ଜଣେ ବ୍ୟକ୍ତି ୯୧ ଲକ୍ଷ ୯୦ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଜଣେ ଅଭିଯୁକ୍ତ ତାଙ୍କୁ ‘ଫିନ୍ସୋଲ୍ ଇନ୍ସାଇଟ୍ସ ଏକ୍ସଚେଞ୍ଜ’ ନାମକ ଏକ ମେସେଜିଂ ଗ୍ରୁପରେ ଯୋଡ଼ିଥିଲା। ଅଭିଯୁକ୍ତମାନେ ପଠାଇଥିବା ଆପ୍ଲିକେସନରେ ଲଗ୍-ଇନ୍ କରି ଟଙ୍କା ନିବେଶ କଲେ ଦୁଇଗୁଣା ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଅଭିଯୋଗକାରୀ ଟଙ୍କା ନିବେଶ କରିଥିଲେ। ମାତ୍ର ପରେ ସେ ଟଙ୍କା ଉଠାଇବାକୁ ଚାହିଁ ଅସଫଳ ହୋଇଥିଲେ ଏବଂ ତାଙ୍କ ବାଣିଜ୍ୟିକ ଆକାଉଣ୍ଟକୁ ମଧ୍ୟ ବନ୍ଦ (ବ୍ଲକ୍) କରିଦିଆଯାଇଥିଲା। ଏନେଇ ଅଭିଯୋଗ ପରେ ଅଗଷ୍ଟ ୨୦ରେ ସାଇବର ଥାନାରେ ମାମଲା (ନଂ. ୧୨୩/୨୦୨୬) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ପ୍ରଥମ ଓ ଦ୍ୱିତୀୟ ସ୍ତରର ବେନାମୀ ଆକାଉଣ୍ଟ ଯାଞ୍ଚରୁ ପୋଲିସକୁ ବଡ଼ ପ୍ରମାଣ ମିଳିଥିଲା। ଟଙ୍କା କାରବାର ପାଇଁ ଭୁବନେଶ୍ୱର ଶୈଳେଶ୍ରୀ ବିହାରସ୍ଥିତ ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ର ଏକ ଆକାଉଣ୍ଟ ଠାବ ହୋଇଥିଲା। ଏହି ବେନାମୀ ଆକାଉଣ୍ଟଗୁଡ଼ିକୁ ଏଜେଣ୍ଟମାନେ ଚୀନର ସାଇବର ଠକଙ୍କୁ ହସ୍ତାନ୍ତର କରି କମିଶନ ପାଉଥିଲେ। ଗିରଫ ଏଜେଣ୍ଟମାନେ ବେନାମୀ ଆକାଉଣ୍ଟର ସମସ୍ତ ତଥ୍ୟ ବସ୍ ଯୋଗେ ପଶ୍ଚିମବଙ୍ଗ ପଠାଇ ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ ସେବା ଉପଯୋଗୀ କରୁଥିଲେ। ପରେ ବିଶେଷ ଆପ୍ଲିକେସନ୍ ଫାଇଲ୍ ଦ୍ୱାରା ଏହି ଆକାଉଣ୍ଟଗୁଡ଼ିକୁ ଚୀନ୍ ସାଇବର ଠକଙ୍କ ପାଖକୁ ପଠାଉଥିଲେ। ସେମାନେ ମେସେଜିଂ ଆପ୍ ଜରିଆରେ ଚୀନ୍ ଠକଙ୍କ ସହ ସମ୍ପର୍କରେ ଥିଲେ ଏବଂ ଗିରଫଦାରୀରୁ ବର୍ତ୍ତିବା ପାଇଁ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ (VPN) ବ୍ୟବହାର କରି ନିଜର ଆଇପି ଆଡ୍ରେସ୍ ବଦଳାଉଥିଲେ।


