ସମୀକ୍ଷା ବ୍ୟୁରୋ
ରାଜ୍ୟରେ ଥିବା କଳାଶିକ୍ଷକଙ୍କ ଛଟେଇ ନିଷ୍ପତିର ପୁନଃବିଚାର କରାଯିବ। ରାଜ୍ୟର କଳା ଓ ସଂସ୍କୃତିର ଉନ୍ନତି ପାଇଁ କଳାଶିକ୍ଷକଙ୍କ ଅବଦାନ ଥିବାରୁ ତାହାକୁ ବିଚାର କରି ଏକ ନିଷ୍ପତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ଆନ୍ଦୋଳନରତ ରାଜ୍ୟର ଉଚ୍ଚ ପ୍ରାଇମେରୀ ସ୍କୁଲ କଳା ଶିକ୍ଷକଙ୍କୁ ଭେଟିବା ପରେ ଏହି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ ପ୍ରତିଶୃତି ପାଇବା ପରେ କଳାଶିକ୍ଷକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଆଜି ଶିକ୍ଷକମାନେ ଷ୍ଟେସନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ। କିଛିମାସ ତଳେ ଗଣଶିକ୍ଷା ବିଭାଗ କଳା ଶିକ୍ଷକଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରୀ କରିଥିଲେ। ଏହି ନୋଟିସରେ ଉଲ୍ଲେଖ ଥିଲା ଯେ, ଯେଉଁ ସ୍କୁଲର ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ 100ରୁ କମ ରହିଛି ସେଠାରୁ କଳାଶିକ୍ଷକଙ୍କୁ ଛଟେଇ କରାଯିବ। ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ କଳାଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଖବର ଗଣଶିକ୍ଷା ମନ୍ତ୍ରୀଙ୍କ ପାଖକୁ ଯିବା ପରେ ସେ ଶିକ୍ଷକ ନେତାଙ୍କୁ ଡାକି ଏହି ନିଷ୍ପତିର ପୁନଃବିଚାର କରିବେ ବୋଲି କହିଛନ୍ତି।