ବାଣପୁର: ଦୀର୍ଘ ଆଠ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ଚଳଚଞ୍ଚଳ ହୋଇଯାଇଛି ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ଦୀର୍ଘ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା ବେଳେ ଚଳିତ ବର୍ଷ ମୋହନ ସରକାର ଉକ୍ତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ତେବେ ଉକ୍ତ ନିଷ୍ପତ୍ତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସ୍ୱାଗତ କରିଛି।
ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ଏବଂ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକାଧିକ ଏବିଭିପି କର୍ମକର୍ତ୍ତା ସ୍ଥାନୀୟ ଗଛ ବାଲୁଙ୍କେଶ୍ୱର ମନ୍ଦିର ପରିସରରୁ ଏକତ୍ରିତ ହୋଇ ଏକ ରାଲିରେ ବାହାରି ସଂଗଠନର ବିଭିନ୍ନ ସ୍ଲୋଗାନ ଦେଇ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ସେଠାରେ କାର୍ଯ୍ୟକର୍ତ୍ତାମାନେ ପରସ୍ପରକୁ ଅବିର ଲଗାଇ ଖୁସି ମନାଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟରେ ଚଳିତ ବର୍ଷ ଏବିଭିପି ପ୍ରର୍ଥୀ ବିଜୟ ଲାଭ କରିବେ ବୋଲି କାର୍ଯ୍ୟକର୍ତ୍ତାମାନେ ଆଶାବାଦୀ ଅଛନ୍ତି।


