ଭୁବନେଶ୍ବର: ଆଶ୍ୱିନ ମାସରେ ବୈଶାଖର ପ୍ରଖର ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି। ବର୍ଷା କମିଯିବା ପରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇ ୩୭ ଡିଗ୍ରୀ ପାଖାପାଖି ପହଞ୍ଚିଥିବା ବେଳେ ସକାଳୁ ଦିନ ତମାମ ଡହଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣିପାଗର ଏହି ଅସ୍ୱାଭାବିକ ପରିବର୍ତ୍ତନ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମଙ୍ଗଳବାର ରାଜ୍ୟର ୫ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଚାନ୍ଦବାଲିରେ ସର୍ବାଧିକ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୩୬.୩ ଡିଗ୍ରୀ ଏବଂ ପୁରୀ, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରହିଥିଲା। ବିଶେଷକରି ପୁରୀରେ ଗତ କିଛି ଦିନ ହେବ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି; ଚଳିତ ମାସ ୨, ୪, ୫ ଓ ୬ ତାରିଖରେ ଏଠାରେ ପାରଦ ୩୬ ଡିଗ୍ରୀରୁ ଅଧିକ ଛୁଇଁସାରିଛି।
ଏହା ବ୍ୟତୀତ ଅନୁଗୋଳରେ ୩୫.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ, ଭୁବନେଶ୍ୱର ଓ ବାଲେଶ୍ୱରରେ ୩୫.୪ ଡିଗ୍ରୀ, ସୋନପୁରରେ ୩୫.୩ ଡିଗ୍ରୀ, ଛତ୍ରପୁର, ତାଳଚେର ଓ ବଲାଙ୍ଗୀରରେ ୩୫.୨ ଡିଗ୍ରୀ, ଗୋପାଳପୁରରେ ୩୫.୧ ଡିଗ୍ରୀ ଏବଂ କଟକ, ଭଦ୍ରକ, ଖୋର୍ଦ୍ଧା, ବାରିପଦା ଓ ଝାରସୁଗୁଡ଼ାରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଆଜି ଏବଂ ଆସନ୍ତାକାଲି ପାଇଁ ଝଡ଼ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି।


