ନୂଆଦିଲ୍ଲୀ: ପରଦାରେ ଲୋକଙ୍କୁ ହସାଉଥିବା ବଲିଉଡର ଚର୍ଚ୍ଚିତ ହାସ୍ୟାଭିନେତା ରାଜପାଲ ଯାଦବ ଏବେ ନିଜେ ଏକ ବଡ଼ ଆର୍ଥିକ ଓ ଆଇନଗତ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଏକ ପୁରୁଣା ଚେକ୍ ବାଉନ୍ସ ମାମଲାର ଶୁଣାଣି ପାଇଁ ଆଜି ସେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କୁ ତୁରନ୍ତ ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଅକ୍ଟୋବର ୧୩ ତାରିଖ ସୁଦ୍ଧା ଅବଶିଷ୍ଟ ୮୫ ଲକ୍ଷ ଟଙ୍କା ପରିଶୋଧ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି।
ଶୁଣାଣି ସମୟରେ ଅଭିନେତା ରାଜପାଲ ଯାଦବ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ନିଜର ଆର୍ଥିକ ଦୁରାବସ୍ଥା ବିଷୟରେ କହିବାକୁ ଯାଇ ସେ କୋର୍ଟଙ୍କ ଆଗରେ ଦୁଃଖର ସହ ପ୍ରକାଶ କରିଥିଲେ ଯେ, “ମୁଁ ନିଜେ ଏକ ଡ୍ରାମା ପାଲଟି ଯାଇଛି।” ୨୦୧୨ ମସିହାରେ ନିର୍ମିତ ତାଙ୍କ ଫିଲ୍ମ ‘ଅତା ପତା ଲାପତା’ ଯୋଗୁଁ ସେ ପ୍ରଚୁର କ୍ଷତିର ସମ୍ମୁଖୀନ ହୋଇଛନ୍ତି ଏବଂ ଗତ ୧୩ ବର୍ଷ ମଧ୍ୟରେ ତାଙ୍କର ପ୍ରାୟ ୨୦୦ ରୁ ୨୫୦ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ସେ ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ଏକ ବେସରକାରୀ ସଂସ୍ଥାରୁ ଋଣ ନେଇଥିଲେ, ମାତ୍ର ସେହି ଋଣ ଶୁଝି ନପାରିବାରୁ ତାଙ୍କ ବିରୋଧରେ ଏକାଧିକ ଚେକ୍ ବାଉନ୍ସ ମାମଲା ରୁଜୁ ହୋଇଥିଲା।


