ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏକ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟା ବେଞ୍ଚ ଛକ ନିକଟରେ ଥିବା ଏକ ଲଜ୍ରେ ହୋଇଥିବା ଏହି ଚଢ଼ାଉ ସମୟରେ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଲଜ୍ ମାଲିକ ଓ ଜଣେ ଗ୍ରାହକଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଉକ୍ତ ଲଜ୍ରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ବ୍ରହ୍ମପୁର ଏସ୍ଡିପିଓ ଓ ବୈଦ୍ୟନାଥପୁର ଥାନା ଅଧିକାରୀ କିଛି ପୁଲିସ କର୍ମଚାରୀଙ୍କ ସହ ଲଜ୍ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଲଜ୍ ମାଲିକ ଓ ଜଣେ ଗ୍ରାହକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା।
୬ଟି ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ
ପୁଲିସ ଚଢ଼ାଉ ସମୟରେ ଲଜ୍ରୁ ୬ଟି ମୋବାଇଲ୍ ଫୋନ୍, କିଛି ଆସବାବପତ୍ର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀକୁ ନେଇ ତଦନ୍ତ ଚାଲିଥିବାବେଳେ ଲଜ୍ ମାଲିକ ଓ ଗ୍ରାହକଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଲଜ୍ରେ ଦୀର୍ଘଦିନ ଧରି ଏପରି କାର୍ଯ୍ୟ ଚାଲିଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହେବ।


