ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦଶାହ ଭୋଜି ଖାଇବା ପରେ ଅସୁସ୍ଥ ହୋଇ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚତ୍ରୀସାହି ଗ୍ରାମର ଭଞ୍ଜ ସିର୍କା (୨୪) ଓ ତାଙ୍କ ପତ୍ନୀ ବିରାଙ୍ଗ ନାଏକ (୨୮)। ସୂଚନା ଅନୁଯାୟୀ, ଦଶାହ ଭୋଜି ଖାଇ ଶୋଇବା ପରେ ରାତି ପ୍ରାୟ ୩ଟାରେ ଉଭୟଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସମ୍ପର୍କୀୟମାନେ ସେମାନଙ୍କୁ ମଣଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଭଞ୍ଜଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ବିରାଙ୍ଗଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କ ଚାରି ଓ ଦୁଇ ବର୍ଷର ଦୁଇ ଶିଶୁକନ୍ୟା ଅନାଥ ହୋଇଯାଇଛନ୍ତି।


