ଖୋର୍ଦ୍ଧା / ବୋଲଗଡ଼: ଆଜି ପୂର୍ବାହ୍ନରେ ବୋଲଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମୃତ ଋତୁରାଜ ଏବଂ ଆରକ୍ଷୀ ଅଧୀକ୍ଷକ ପରାମର ସ୍ମିତ ପୁରୁଷୋତ୍ତମ ଦାସଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଉକ୍ତ ଶିବିରରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ସଙ୍କଳ୍ପ ସ୍ୱସ୍ତିକ ସାହୁ, ବିଡିଓ ସୁମନ ସୁଦ୍ଧା କୁଣ୍ଡୁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସ୍ୱିଟି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଞ୍ଜୟ ଚନ୍ଦ୍ର ରାୟ, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ଭୁବନେଶ୍ୱରୀ କଅଁର ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।
ଆଜିର ଶିବିରକୁ ମୋଟ ୬୮ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ଏବଂ ୧୬ଟି ଗ୍ରାମୀଣ ସମସ୍ୟା ସମ୍ପର୍କିତ ଥିଲା। ସେଥିମଧ୍ୟରୁ ୭ଟି ଅଭିଯୋଗର ଜିଲ୍ଲାପାଳ ଘଟଣାସ୍ଥଳରେ ତତ୍କାଳ ସମାଧାନ କରିଥିଲେ। ଚିକିତ୍ସା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଗ୍ରାମ ଗର୍ଭଣିପଡ଼ାର ଲକ୍ଷ୍ମୀ ଦେଇଙ୍କୁ ୧୫ ହଜାର, ମର୍ଦ୍ଧବାଡ଼ିର ହୀରାମଣି ବେହେରାଙ୍କୁ ୨୫ ହଜାର ଏବଂ କୁସପଲ୍ଲାର ସେକ୍ ଜାଫରଙ୍କୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।
ସେହିପରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବୋଲଗଡ଼ର ରମେଶ କୁମାର ସ୍ୱାଇଁଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟ ସମସ୍ତ ଅଭିଯୋଗଗୁଡିକ ଉପରେ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀୟା ଶାଶ୍ୱତୀଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଅତ୍ୟାବଶ୍ୟକ ସେବା ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


