ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ସ୍ଥାନୀୟ ଅଦାଲତ ଏକ ଐତିହାସିକ ଓ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି। ମର୍ଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କୁ ନିର୍ମମ ଭାବେ ହତ୍ୟା କରିବା ଏବଂ ପ୍ରମାଣ ଲୁଚାଇବା ଅପରାଧରେ ସମ୍ପୃକ୍ତ ସ୍ତ୍ରୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡ ବା ଫାଁସି ଦଣ୍ଡାଦେଶ ଶୁଣାଯାଇଛି। ମୋଟ ଏକ ଶହ ଛବିଶଟି ଶୁଣାଣି ଏବଂ ବାଇଶି ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ଏହି କଠୋର ଦଣ୍ଡାଦେଶ ଦେଇଛନ୍ତି।
ପୋଲିସ ଏବଂ ଅଦାଲତରେ ପ୍ରସ୍ତୁତ ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ୩ ତାରିଖ ଦିନ ଇନ୍ଦିରା ନଗରସ୍ଥିତ ନିଜ ବାସଭବନରେ ମୁସ୍କାନ ପ୍ରଥମେ ନିଜ ସ୍ୱାମୀ ସୌରଭଙ୍କୁ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ସଂଜ୍ଞାହୀନ କରିଦେଇଥିଲେ। ଏହାପରେ ପ୍ରେମିକ ସାହିଲ ଶୁକ୍ଲା ସେଠାରେ ପହଞ୍ଚିବା ପରେ ଦୁହେଁ ମିଶି ଛୁରୀରେ ଭୁସି ସୌରଭଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ଶୌଚାଳୟ ଭିତରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ମୃତଦେହ ଦୁର୍ଗନ୍ଧ ନହେବା ପାଇଁ ଏକ ବଡ଼ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍ ଆଣି ସେଥିରେ କଟା ଅଙ୍ଗପ୍ରତ୍ୟଙ୍ଗ ରଖିବା ସହ ସିମେଣ୍ଟ, ବାଲି ଏବଂ ପାଣିର ମିଶ୍ରଣ ଢାଳି ସମ୍ପୂର୍ଣ୍ଣ ସିଲ୍ କରିଦେଇଥିଲେ।
ଏହି ନୃଶଂସ କାଣ୍ଡ ପରେ ଦୁଇ ଅଭିଯୁକ୍ତ ହିମାଚଳ ପ୍ରଦେଶକୁ ଫେରାର ହୋଇଯାଇଥିଲେ। ନିଜକୁ ସନ୍ଦେହମୁକ୍ତ ରଖିବା ପାଇଁ ମୁସ୍କାନ ନିଜ ସ୍ୱାମୀଙ୍କ ମୋବାଇଲ୍ ଫୋନରୁ ପରିବାର ଲୋକଙ୍କୁ ମେସେଜ୍ ପଠାଇ ସୌରଭ ଜୀବିତ ଅଛନ୍ତି ଏବଂ ବ୍ୟବସାୟିକ କାର୍ଯ୍ୟରେ ଯାତ୍ରା କରୁଛନ୍ତି ବୋଲି ଭ୍ରମ ସୃଷ୍ଟି କରିଥିଲେ। ମାତ୍ର ମାର୍ଚ୍ଚ ୧୭ ତାରିଖ ଦିନ ଆଶଙ୍କା କରି ପରିବାର ଲୋକେ ଏବଂ ସ୍ଥାନୀୟ ପୋଲିସ ଘରେ ପହଞ୍ଚିଥିବା ବେଳେ ସୌରଭଙ୍କ ଛଅ ବର୍ଷର ଝିଅ ପ୍ରକୃତ କଥା ପ୍ରକାଶ କରି ” ବାପା ଡ୍ରମ୍ ଭିତରେ ଅଛନ୍ତି” ବୋଲି କହିଥିଲା। ପୋଲିସ ସିଲ୍ ହୋଇଥିବା ନୀଳ ଡ୍ରମ୍କୁ କାଟି ମୃତଦେହ ଜବତ କରିବା ସହ ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ଶୁଣାଣି ସମୟରେ ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୁକ୍ତ ଦ୍ୱୟଙ୍କୁ ନୀଳ ଡ୍ରମ୍, ସିମେଣ୍ଟ, ବାଲି ଓ କଟୁରୀ ବିକ୍ରି କରିଥିବା ନେଇ ସାକ୍ଷ୍ୟ ଦେଇଥିଲେ। ମୋବାଇଲ୍ ଟାୱାର ଲୋକେସନ୍ ଏବଂ ଫୋନ୍ କଲ୍ ବିବରଣୀରୁ ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତମାନଙ୍କ ଉପସ୍ଥିତି ପ୍ରମାଣିତ ହୋଇଥିଲା। ମୋର୍ଡମ ପରୀକ୍ଷାରୁ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ରାୟ ପୂର୍ବରୁ ମୁସ୍କାନଙ୍କ ନିଜ ବାପା-ମାଆ ଅଦାଲତରେ ସୌରଭଙ୍କୁ ଜଣେ ଅତ୍ୟନ୍ତ ଭଲ ମଣିଷ ଭାବେ ବର୍ଣ୍ଣନା କରିବା ସହ ନିଜ ଦୋଷୀ ଝିଅକୁ ଫାଁସି ଦିଆଗଲେ ସେମାନେ କୌଣସି ଆପତ୍ତି କରିବେ ନାହିଁ ବୋଲି କହିଥିଲେ।


