ଭୁବନେଶ୍ବର: “ଜ୍ଞାନ, ଶୀଳ ଓ ଏକତା’ର ଆଦର୍ଶରେ ଗଢ଼ା। ଏହି ଆଦର୍ଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଂଗଠନ ଅନୁପ୍ରାଣିତ। ତେଣୁ ସାଧାରଣ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଏହି ସଂଗଠନ ସମ୍ମାନ ଦେବା ସହ କ୍ୟାମ୍ପସ୍ରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ଗଢ଼ି ତୋଳିବ। ରାଷ୍ଟ୍ର ନିର୍ମାଣର ଏହି ମହାନ ଯାତ୍ରାରେ ସମସ୍ତ ବିଜୟୀ ପ୍ରତିନିଧିଙ୍କ ସଫଳ କାର୍ଯ୍ୟକାଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ମିଳିଥିବା ସଫଳତାକୁ ନେଇ ଏବିଭିପିକୁ ଶୁଭେଚ୍ଛା ଜଣାଉଛି। ଶୁକ୍ରବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ମୋର ଆନ୍ତରିକ ଅଭିନନ୍ଦନ। ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତି ଯୁବପିଢ଼ି (ଜେନ୍ ଜି)ଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ ଏବଂ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ତଥା ସେମାନଙ୍କ ସ୍ୱରକୁ ସମ୍ମାନ ଜଣାଇ ଆପଣମାନେ ନିଜ ନିଜର ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।


