ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣର (ଏନ୍ଆର୍ସି) ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା ଅନୁଯାୟୀ ୩ କୋଟି ୧୧ ଲକ୍ଷ ୨୧ ହଜାର ଚାରି ଜଣ ଏହି ତାଲିକାରେ ରହିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ଏହି ତାଲିକାରୁ ବାଦ ପଡିଛନ୍ତି। ଆଜି ଚୂଡାନ୍ତ ତାଲିକା ଘୋଷଣା କରାଯିବା କାରଣରୁ ଆସାମରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରାୟ ୨ ହଜାରରୁ ଅଧିକ ପାରା ମିଲିଟାରୀ ମୁତୟନ କରାଯାଇଥିବା ଜଣାପଡିଛି। ଆସାମର ଅତିରିକ୍ତ ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣା କହିଛନ୍ତି ଯେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ତାଲିକାରେ ଯେଉଁ ଲୋକ ସାମିଲ ନହୋଇପାରିବେ, ସେମାନଙ୍କୁ କୌଣସିବି ପ୍ରକାରେ ଗିରଫ କରାଯିବ ନାହିଁ। ରାଜ୍ୟ ସରକାର ଏନ୍ଆର୍ସି ସୂଚୀରେ ସାମିଲ ହେବାରୁ ବଞ୍ଚିତ ଲୋକଙ୍କୁ ଆଇନ ସହାୟତା ଉପଲବ୍ଧ କରିବା ପାଇଁ ଜରୁରୀ ବ୍ୟବସ୍ଥା କରିବେ।