ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆକ୍ସେସ୍ ବ୍ୟବହାର କରିବା କେବଳ ବଡ଼ମାନଙ୍କର ନୁହେଁ, ବରଂ ପିଲାମାନଙ୍କର ମଧ୍ୟ ଏକ ମୌଳିକ ଅଧିକାର। ଏହାର ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। ସମ୍ୱିଧାନର ଧାରା ୨୧ ଏବଂ ୧୯(୧)(କ) ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ସହ ପିଲାମାନଙ୍କର ମଧ୍ୟ ଏହି ଅଧିକାର ରହିଛି। କୌଣସି ପିଲାଙ୍କୁ ବୟସ ଆଧାରରେ ଇଣ୍ଟରନେଟ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ରୂପେ ବଞ୍ଚିତ କରିବା ଅତ୍ୟନ୍ତ ଅସଙ୍ଗତ ବୋଲି ଶୀର୍ଷ ଅଦାଲତ ମତ ଦେଇଛନ୍ତି।
ନ୍ୟାୟମୂର୍ତ୍ତି ଜେ.ବି. ପର୍ଦ୍ଦିଓ୍ୱାଲା ଏବଂ ନ୍ୟାୟମୂର୍ତ୍ତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିଶୁ ଯୌନ ଶୋଷଣ ଓ ଅପବ୍ୟବହାର ସାମଗ୍ରୀ (CSEAM) ରୋକିବା ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ସ୍ୱାଧୀନତା ପରସ୍ପର ବିରୋଧୀ ନୁହଁନ୍ତି। ବିଶେଷ କରି ଦୁର୍ଗମ ଅଞ୍ଚଳର ଶିଶୁ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଇଣ୍ଟରନେଟ୍ ଶିକ୍ଷା ଓ ସୂଚନାର ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବା ଅନୁଚିତ।
ତେବେ ସମ୍ପୂର୍ଣ୍ଣ କଟକଣା ବଦଳରେ ପିଲାଙ୍କ ପାଇଁ ‘ଚାଇଲ୍ଡ ମୋଡ୍’, ଅଭିଭାବକଙ୍କ ସମ୍ମତି ଓ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି କୋର୍ଟ ପରାମର୍ଶ ଦେବା ସହ ଅନଲାଇନ୍ରୁ ଆପତ୍ତିଜନକ ସାମଗ୍ରୀ ହଟାଇବା ପାଇଁ ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


