ରଣପୁର: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ରଣପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍ଙ୍କୁ ଭୁବନେଶ୍ୱରର ପଟିଆସ୍ଥିତ ଭେଙ୍କେଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରୁ ଗିରଫ କରିଛି ପୁଲିସ। ଗୁରୁବାର ରାତିରେ ତାଙ୍କୁ ଗିରଫ କରାଯାଇଥିବାବେଳେ ସେ ସେଠାରେ ଡ୍ରାଇଭର ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରଣପୁର ସୁଆଁସିଆ ସାହିର ବାସିନ୍ଦା ତଥା ଫକୀର ଖଟେଇଙ୍କ ପୁଅ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍ ଓ ତାଙ୍କର କିଛି ସହଯୋଗୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀ ପରିଡ଼ା ରାସନ ସାମଗ୍ରୀ କିଣୁଥିବା ସମୟରେ ତାଙ୍କୁ ପଛପଟୁ ଆକ୍ରମଣ କରାଯାଇଥିଲା। ଦିନଦ୍ୱିପ୍ରହରରେ ଘଟିଥିବା ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ଆହତ ସାମ୍ବାଦିକଙ୍କୁ ୧୧୨ ପୁଲିସ ସହାୟତାରେ ପ୍ରଥମେ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶଯ୍ୟା ଉପଲବ୍ଧ ନହେବାରୁ ସମ୍ ହସ୍ପିଟାଲରେ ତାଙ୍କର ପ୍ରାୟ ୨୦ ଦିନ ଧରି ଚିକିତ୍ସା ଚାଲିଥିଲା।
ଏହି ଘଟଣାକୁ ନେଇ ସେପ୍ଟେମ୍ବର ୧୭ ତାରିଖରେ ରଣପୁର ଥାନାରେ କେସ୍ ନମ୍ବର ୩୧୦/୨୬ରେ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଖୋଜୁଥିଲା। ଶେଷରେ ଭୁବନେଶ୍ୱରର ପଟିଆରୁ ଜିତେନ୍ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫଦାରୀରେ ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ସହ ସବ୍ଇନ୍ସପେକ୍ଟର ହାସିନା ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୁରୁତର ଅପରାଧ ସମ୍ପର୍କିତ ମାମଲା ରହିଛି ଏବଂ ସେ ଏକାଧିକ ଥର ଜେଲ୍ ଯାଇଛନ୍ତି।
ଅନ୍ୟପକ୍ଷରେ, ଏକ ଶିକ୍ଷାନୁଷ୍ଠାନରେ ଅଭିଯୁକ୍ତ ଡ୍ରାଇଭର ଭାବେ କିପରି ନିଯୁକ୍ତି ପାଇଥିଲେ ଏବଂ ନିଯୁକ୍ତି ପୂର୍ବରୁ ତାଙ୍କର ପୁଲିସ ଯାଞ୍ଚ ହୋଇଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଦିଗରେ ମଧ୍ୟ ତଦନ୍ତ କରିବାକୁ ରଣପୁର ଅଞ୍ଚଳବାସୀ ରାଜ୍ୟ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ବର୍ତ୍ତମାନ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


