ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ସାମାନ୍ୟ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଧାର ଟଙ୍କାକୁ ନେଇ ବଚସାରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ମୃତ ଯୁବକ ହେଉଛନ୍ତି ଅତାବିରା ବସ୍ତିର ଶିବା ବିଶ୍ୱାଳ (୨୩)। ଏହି ଘଟଣାରେ ଅତାବିରା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ଏକ ଛୁରା ଜବତ ହୋଇଛି।
ସୂଚନା ଅନୁଯାୟୀ, ଅତାବିରାରୁ ଭୋଇପୁରାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ପୋଲ ନିକଟରେ ଶିବା ଓ ଅଭିଯୁକ୍ତଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବିବାଦ ହୋଇଥିଲା। ଟଙ୍କା ମାଗିବା ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିଗୁଲଜ ଓ ବଚସା ଆରମ୍ଭ ହୋଇଥିଲା। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ୍ର ରୂପ ନେଇଥିଲା।
ଅଭିଯୋଗ ଅନୁଯାୟୀ, ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ଅଭିଯୁକ୍ତ ଧାରୁଆ ଛୁରିରେ ଶିବାଙ୍କ ଗଳା କାଟିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ। ଗୁରୁତର ଆହତ ଶିବା ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଅତାବିରା ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ଗୁରୁତର ଅବସ୍ଥାରେ ଶିବାଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖେଦାପାଲି ଡାକ୍ତରଖାନାକୁ ପଠାଯାଇଥିଲା।
ଏହି ହତ୍ୟାକାଣ୍ଡରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭୋଇପୁରାର ଦୀପକ ପଞ୍ଚମ (୨୨) ଓ ଘସିଆପଡ଼ାର ସାହିଲ ଡୁଙ୍ଗୁରି (୨୩)। ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଛୁରା ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରବର୍ଗ ଅତାବିରା ଥାନାରେ ପହଞ୍ଚି ନ୍ୟାୟ ଦାବି କରିଥିଲେ। ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସେମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଯଦି ଶିବା କାହାଠାରୁ ଟଙ୍କା ଧାର ନେଇଥିଲେ, ତେବେ ସେମାନଙ୍କୁ ଜଣାଇଥିଲେ ଟଙ୍କା ଫେରସ୍ତ କରିଦେଇଥାନ୍ତେ। କିନ୍ତୁ ଏଥିପାଇଁ ତାଙ୍କ ଜୀବନ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏଥିସହ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏନେଇ ଅତାବିରା ପୁଲିସ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


