ରାଇରଙ୍ଗପୁର: ମୟୂରଭଞ୍ଜବାସୀଙ୍କ ପାଇଁ ଖୁସି ଖବର। ଏଣିକି ପୁରୀରୁ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼କୁ ଗଡ଼ିବ ସିଧା ଟ୍ରେନ୍। ବହୁ ପ୍ରତୀକ୍ଷିତ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍କୁ ରେଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଏହି ନୂଆ ଟ୍ରେନ୍ ଚଳାଚଳ ଦ୍ୱାରା ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ରେଳ ଯାତ୍ରୀଙ୍କୁ ଉପକୃତ ହେବାର ସୁଯୋଗ ମିଳିବ। ବିଶେଷକରି ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଉଥିବା ଯାତ୍ରୀଙ୍କ ଯାତ୍ରା ଅଧିକ ସୁବିଧାଜନକ ହେବ।
ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ CC-୨୦୮/୨୦୨୬ ଏବଂ ୨୦୨୬/CHG/୧୬/WCR/୪୧-PTରେ ଏହି ଟ୍ରେନ୍କୁ ଅନୁମୋଦନ ମିଳିଥିବା ସୂଚନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ଏଥିପାଇଁ ତାଙ୍କର ନିରନ୍ତର ଉଦ୍ୟମ ଓ ହସ୍ତକ୍ଷେପ ରହିଥିବା କୁହାଯାଉଛି। ରେଳ ମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ପୂର୍ବତଟ ରେଳପଥର ୧୦ ଜୁଲାଇ ୨୦୨୬ର ପ୍ରସ୍ତାବକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ପ୍ରୟାସ ଏହି ନିଷ୍ପତ୍ତି ସହ ଜଡ଼ିତ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍ ଦୈନିକ ଚଳାଚଳ କରିବା ନେଇ ସୂଚନା ରହିଛି। ଏହି ଏକ୍ସପ୍ରେସ୍ର ରହଣି ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର, କଟକ ଓ କେନ୍ଦୁଝର ସମେତ ମୋଟ ୧୯ଟି ଷ୍ଟେସନରେ ରହିବ। ନଅଟି କୋଚ୍ ବିଶିଷ୍ଟ LHB ରେକ୍ରେ ଟ୍ରେନ୍ଟି ଚଳାଚଳ କରିବାର ଯୋଜନା ରହିଛି। ଏହାଦ୍ୱାରା ରାଇରଙ୍ଗପୁର, ବାଦାମପାହାଡ଼ ଓ ବାହଲଦା ଅଞ୍ଚଳର ଯାତ୍ରୀଙ୍କ ସହ ଅନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ।
ତେବେ ଟ୍ରେନ୍ର ନିୟମିତ ଚଳାଚଳ ଆରମ୍ଭ ହେବାର ତାରିଖ ଏଯାଏଁ ଘୋଷଣା ହୋଇନାହିଁ। ରେଳ ବୋର୍ଡ ପକ୍ଷରୁ ଖୁବ୍ଶୀଘ୍ର ଏକ ସୁବିଧାଜନକ ତାରିଖ ନିର୍ଦ୍ଧାରଣ କରାଯାଇ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ସହ ଉଦ୍ଘାଟନୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାର ଯୋଜନା ରହିଛି। ଏହି ନୂଆ ରେଳ ସଂଯୋଗକୁ ନେଇ ରାଇରଙ୍ଗପୁର, ବାଦାମପାହାଡ଼ ଓ ବାହଲଦା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ମୟୂରଭଞ୍ଜବାସୀ ଏହାକୁ ସ୍ୱାଗତ କରିଛନ୍ତି।


