ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଆଜି ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ଅତ୍ୟନ୍ତ ଗାମ୍ଭୀର୍ଯ୍ୟ ଓ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ପାଇଁ କର୍ମକ୍ଷେତ୍ରରେ ପ୍ରାଣବଳି ଦେଇଥିବା ସମସ୍ତ ଅମର ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ‘୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟଙ୍କ ସହ ସଶସ୍ତ୍ର ଲଢ଼େଇ କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ। ସେହି ବୀର ଯବାନଙ୍କ ଅଦମ୍ୟ ସାହସ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସମଗ୍ର ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି।’
ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଛନ୍ତି। ଅମର ଶହୀଦଙ୍କ ଅତୁଳନୀୟ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରି ଡିଜିପି କହିଥିଲେ ଯେ, ସେମାନଙ୍କ ଏହି ବଳିଦାନ ସମଗ୍ର ପୋଲିସ ବାହିନୀ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ।
ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଶହୀଦ ହୋଇଥିବା ଓଡ଼ିଶା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ଅବଦାନକୁ ସ୍ମରଣ କରି ଡିଜିପି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ସେମାନଙ୍କ ସାହସ, ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ସଫଳ ମୁକାବିଲା କରାଯାଇ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ଏହି ବୀର ଯବାନଙ୍କ ପରିବାରବର୍ଗଙ୍କ ତ୍ୟାଗ ଓ ଧୈର୍ଯ୍ୟକୁ ମଧ୍ୟ ସେ ସମ୍ମାନ ଜଣାଇଥିଲେ।
ବର୍ତ୍ତମାନର ଆହ୍ୱାନ ସମ୍ପକରେ ମତବ୍ୟକ୍ତ କରି ଡିଜିପି କହିଥିଲେ ଯେ, ଆଜିର ଦିନରେ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନାହିଁ। ବରଂ ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହିତ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ଏସବୁ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ଉପଯୋଗ ଏବଂ ନିରନ୍ତର ପ୍ରଶିକ୍ଷଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।


