ଭୁବନେଶ୍ୱର: ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଗତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯ମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଖୋର୍ଦ୍ଧା ଠାରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ଡାଟା ସେଣ୍ଟର ଓ ଟ୍ରେନିଂ ସେଣ୍ଟର ଉଦ୍ଘାଟନ କରିବେ। ଏନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଆଜି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ଯେ, ସମୃଦ୍ଧ ଓଡ଼ିଶା ଗଢ଼ିବା ସ୍ୱପ୍ନ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକଟି ଓଡ଼ିଶା ଗସ୍ତ ରାଜ୍ୟର ବିକାଶ ପାଇଁ ନୂଆ ଉପହାର ନେଇ ଆସିଥାଏ। ନିର୍ବାଚନ ପୂର୍ବରୁ ସମ୍ବଲପୁର ଓ ଚଣ୍ଡିଖୋଲରେ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଥିଲା, ସେଗୁଡ଼ିକ କ୍ରିୟାନ୍ୱୟନ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ଘୋଷଣା କରନ୍ତି ନାହିଁ, ବରଂ ତାହାକୁ ବାସ୍ତବତାରେ ପରିଣତ କରି ଲୋକଙ୍କ ସେବାରେ ଉତ୍ସର୍ଗ କରନ୍ତି। ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ବିଶାଳ ପୁଞ୍ଜିନିବେଶ ଆଣିଛିି ଡବଲଇଞ୍ଜିନ ସରକାର। ସେମିକଣ୍ଡକ୍ଟର, ଡାଟା ସେଣ୍ଟର, ଆଇଟି, ଖଣିଜଭିତିକ ଶିଳ୍ପ, ପେଟ୍ରୋକେମିକାଲ୍ସ, ଶକ୍ତି, କୃଷି ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ରାଜ୍ୟର ଅର୍ଥନୀତିକୁ ନୂତନ ଗତି ଦେଇଛି। ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତର ପ୍ରଗତିର ମୁଖଶାଳା ହେବାକୁ ଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।


