ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି। ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ରାତି ସୁଦ୍ଧା ଅବପାତର ରୂପ ନେଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତ ଏବଂ ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ପୂର୍ଣ୍ଣାଙ୍ଗ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଆହୁରି ସଂଘାତିକ ରୂପ ଧାରଣ କରି ଅତିଭୀଷଣ ବାତ୍ୟା ଭାବେ ୨୮ ତାରିଖ ପୂର୍ବାହ୍ଣରେ ଆନ୍ଧ୍ରପ୍ରଦେଶ ଉପକୂଳର ବାପଟାଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁପାରେ।
ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ଓ ପବନର ସାମନା କରିବାକୁ ପଡ଼ିବ। ୨୬ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସହ ଜଗତସିଂହପୁରଠାରୁ ଗଞ୍ଜାମ ଉପକୂଳ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ପବନ ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ସବୁଠାରୁ ଅଧିକ ରହିବ। ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ।
ବର୍ଷା ପରିମାଣକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୨୮ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସହ ପ୍ରବଳ ପବନ ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ସମେତ ମୋଟ ୧୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା-ପବନର ପ୍ରଭାବ ବଜାୟ ରହିବ।
ଅପରପକ୍ଷରେ, ବାୟୁମଣ୍ଡଳୀୟ ପରିସ୍ଥିତି କ୍ରମାଗତ ଭାବେ ବଦଳୁଥିବାରୁ ବାତ୍ୟାର ଗତିପଥରେ ପରିବର୍ତ୍ତନ ଦେଖାଦେଉଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ମଡେଲଗୁଡ଼ିକର ସଦ୍ୟତମ ଆକଳନ ଅନୁସାରେ ବାତ୍ୟା କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ଠିକ୍ କେଉଁ ସ୍ଥାନ ଓ ସମୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ, ତାହା ଅବପାତଟି ସୁସଙ୍ଗଠିତ ବାତ୍ୟାରେ ପରିଣତ ହେବା ପରେ ଅଧିକ ସ୍ପଷ୍ଟ ହେବ। ବାତ୍ୟା କେନ୍ଦ୍ରରେ ବାୟୁଚାପ ୯୬୧ରୁ ୯୭୧ ହେକ୍ଟୋପାସ୍କାଲ୍ ପର୍ଯ୍ୟନ୍ତ ହ୍ରାସ ପାଇବା ଆଶଙ୍କା ଥିବାରୁ ଏହା ଅତିଭୀଷଣ ରୂପ ନେବା ନିଶ୍ଚିତ। ବାତ୍ୟା ଯଦି କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଏଁ, ତେବେ ଓଡ଼ିଶାରେ ପ୍ରବଳ ପବନର ସିଧାସଳଖ ଆଶଙ୍କା କମ୍ ରହିବ। ଏହି ବାତ୍ୟା ସଙ୍କଟ ମଧ୍ୟରେ ଅନ୍ୟପଟେ ନିଅଣ୍ଟିଆ ବର୍ଷା ଓ ପ୍ରଖର ଖରା ଯୋଗୁଁ ରାଜ୍ୟରେ ଧାନଗଛ ମଉଳିବାକୁ ବସିଥିବାରୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। ଏହିଭଳି ଜଟିଳ ପରିସ୍ଥିତିରେ ଆଗାମୀ ବର୍ଷା ଓ ପବନ ଚାଷ କାର୍ଯ୍ୟ ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


