ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଗାଡ଼ିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଫଳରେ ଟ୍ରଲର ଭିତରେ ଥିବା ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଡ୍ରାଇଭରଙ୍କ ପରିଚୟ ଏଯାଏଁ ମିଳିନାହିଁ। ସେମାନେ ବିହାର ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ କୋଲ୍ କରିଡର ଅନ୍ତର୍ଗତ ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରଲର ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଡ୍ରାଇଭରମାନେ ଗାଡ଼ି ଭିତରେ ଫସି ରହିଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭର ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଶେଷରେ ଗାଡ଼ି ଭିତରେ ହିଁ ଦୁଇ ଡ୍ରାଇଭରଙ୍କ ଜୀବନ ଚାଲିଯାଇଥିଲା।
ଖବର ପାଇ ଲେଫ୍ରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଟ୍ରଲର ଦୁଇଟି ମୁହାଁମୁହିଁ ଧକ୍କା ହେଲା, ସେନେଇ ତଦନ୍ତ ଚାଲିଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


