ଭୁବନେଶ୍ଵର: ଆଜିର ସମୟରେ ନୂଆ ସ୍କୁଟର କିଣିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି – ଇଲେକ୍ଟ୍ରିକ୍ ସ୍କୁଟର କିଣିବା ନା ପେଟ୍ରୋଲ ସ୍କୁଟର। ବଜାରରେ ଏବେ ଏପରି ଅନେକ ସ୍କୁଟର ଆସିଲାଣି ଯାହା ବହୁତ ଭଲ ମାଇଲେଜ୍ ଦେଉଛି। ଅନ୍ୟପଟେ ଇ-ସ୍କୁଟର ମଧ୍ୟ ରେଞ୍ଜ ମାମଲାରେ କାହାଠୁ କମ୍ ନୁହେଁ। ଆସନ୍ତୁ ଜାଣିବା ୩୬୫ ଦିନର ଖର୍ଚ୍ଚ ହିସାବରେ କେଉଁ ସ୍କୁଟର ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ୁଛି ଏବଂ କେଉଁଟା ପଇସା ବଞ୍ଚାଉଛି।
ଇନ୍ଧନ ଖର୍ଚ୍ଚର ହିସାବ
ଇନ୍ଧନ ଖର୍ଚ୍ଚ ମାମଲାରେ ଇ-ସ୍କୁଟର ପେଟ୍ରୋଲ ସ୍କୁଟରକୁ ବହୁତ ପଛରେ ପକାଇ ଦେଉଛି। ଯଦି ଆପଣଙ୍କ ପେଟ୍ରୋଲ ସ୍କୁଟର ଲିଟର ପିଛା ୪୫ରୁ ୫୦ କିମି ମାଇଲେଜ୍ ଦେଉଛି, ତେବେ ପ୍ରତି କିଲୋମିଟର ଖର୍ଚ୍ଚ ପ୍ରାୟ ୨ ରୁ ୨.୫୦ ଟଙ୍କା ପଡ଼ୁଛି। ଯଦି ଆପଣ ଦିନକୁ ୩୦ କିମି ଯାଆନ୍ତି, ତେବେ ମାସକୁ ପ୍ରାୟ ୯୦୦ କିମି ଯାତ୍ରା କରୁଛନ୍ତି।
ଏହି ହିସାବରେ ପେଟ୍ରୋଲ ପାଇଁ ଆପଣଙ୍କର ମାସିକ ଖର୍ଚ୍ଚ ୨,୦୦୦ ରୁ ୨,୫୦୦ ଟଙ୍କା ହେଉଛି। ଅନ୍ୟପଟେ ଯଦି ଆପଣଙ୍କ ପାଖରେ ଭଲ ଇ-ସ୍କୁଟର ଅଛି ଏବଂ ଘରର ସାଧାରଣ ବିଜୁଳିରେ ଚାର୍ଜ କରୁଛନ୍ତି, ତେବେ ପ୍ରତି କିମି ଖର୍ଚ୍ଚ ମାତ୍ର ୨୦ ରୁ ୩୦ ପଇସା ଆସୁଛି। ଅର୍ଥାତ୍ ମାସକୁ ବିଜୁଳି ବିଲ୍ ମାତ୍ର ୨୦୦ ରୁ ୩୦୦ ଟଙ୍କା। ଏହାର ଅର୍ଥ ସାଧାରଣ ଲୋକ ବର୍ଷକୁ ୨୦,୦୦୦ ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହଜରେ ବଞ୍ଚାଇ ପାରିବେ।
ରକ୍ଷଣାବେକ୍ଷଣ ଓ ସର୍ଭିସିଂ ଖର୍ଚ୍ଚ
ଗାଡ଼ିର ପ୍ରକୃତ ଖର୍ଚ୍ଚ କେବଳ ପେଟ୍ରୋଲ କିମ୍ବା ବିଜୁଳିରେ ସୀମିତ ନୁହେଁ, ରକ୍ଷଣାବେକ୍ଷଣରେ ମଧ୍ୟ ବହୁତ ପଇସା ଖର୍ଚ୍ଚ ହୁଏ। ପେଟ୍ରୋଲ ସ୍କୁଟର ଇଞ୍ଜିନରେ ଅନେକ ମୁଭିଂ ପାର୍ଟସ ଥାଏ ଯାହାର ଯତ୍ନ ନେବାକୁ ପଡ଼େ। ପ୍ରତି ୩,୦୦୦ କିମିରେ ଇଞ୍ଜିନ ଅଏଲ ବଦଳାଇବା, ଏୟାର ଫିଲ୍ଟର ସଫା କରିବା, ସ୍ପାର୍କ ପ୍ଲଗ୍ ଓ କ୍ଲଚ୍ ବେଲ୍ଟ ବଦଳାଇବା ସାଧାରଣ କଥା। ବର୍ଷକୁ ପେଟ୍ରୋଲ ସ୍କୁଟରର ସର୍ଭିସିଂ ଓ ଛୋଟ ମୋଟ ପାର୍ଟସ ବଦଳାଇବାରେ ୪,୦୦୦ ରୁ ୮,୦୦୦ ଟଙ୍କା ଖର୍ଚ୍ଚ ହୋଇଯାଏ।
ଇ-ସ୍କୁଟର ବିଷୟରେ କହିଲେ ଏହାର ସିଷ୍ଟମ ବହୁତ ସରଳ। ଏଥିରେ ନା ଇଞ୍ଜିନ ଅଛି ନା ଇଞ୍ଜିନ ଅଏଲ। ବ୍ରେକ, ଟାୟାର ଓ ସଫ୍ଟୱେୟାର ଅପଡେଟ୍ ଉପରେ ହିଁ ଧ୍ୟାନ ଦେବାକୁ ପଡ଼େ। ଇ-ସ୍କୁଟରର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ପେଟ୍ରୋଲ ତୁଳନାରେ ଅଧା କିମ୍ବା ଏକ ତୃତୀୟାଂଶ ରହିଥାଏ, ଯାହା ଦ୍ୱାରା ହଜାର ହଜାର ଟଙ୍କା ବଞ୍ଚିଥାଏ।
ଦାମ୍ କେତେ?
ଇ-ସ୍କୁଟରର ପ୍ରାରମ୍ଭିକ ଦାମ୍ ସାଧାରଣ ପେଟ୍ରୋଲ ସ୍କୁଟର ତୁଳନାରେ ଟିକେ ଅଧିକ। ଅନେକ ଲୋକ ଏହି ପାର୍ଥକ୍ୟ ଦେଖି ପଛକୁ ହଟିଯାଆନ୍ତି। କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ, ଏହି ଅଧିକ ପଇସା ବହୁତ ଶୀଘ୍ର ଅସୁଲ ହୋଇଯାଏ। ଯେତେବେଳେ ଆପଣ ପ୍ରତି ମାସରେ ପେଟ୍ରୋଲ ଓ ସର୍ଭିସିଂ ବାବଦରେ ହଜାର ହଜାର ଟଙ୍କା ବଞ୍ଚାଉଛନ୍ତି, ସେହି ଅତିରିକ୍ତ ପାର୍ଥକ୍ୟ ମାତ୍ର ୧୨ ରୁ ୧୮ ମାସ ମଧ୍ୟରେ ପୂରା ହୋଇଯାଏ। ଏହା ପରେ ଇ-ସ୍କୁଟରରୁ ହେଉଥିବା ପ୍ରତ୍ୟେକ ସଞ୍ଚୟ ସିଧା ଆପଣଙ୍କ ଲାଭରେ ପରିଣତ ହୁଏ।
କେଉଁଟା ଅଧିକ ମହଙ୍ଗା?
ଯଦି ଆପଣ ୩୬୫ ଦିନର ସମସ୍ତ ଖର୍ଚ୍ଚ ଯୋଡ଼ି ଦେଖିବେ ତେବେ ଚିତ୍ର ସମ୍ପୂର୍ଣ ସ୍ପଷ୍ଟ ହୋଇଯିବ। ପେଟ୍ରୋଲ ସ୍କୁଟରରେ ପ୍ରତି ମାସରେ ମହଙ୍ଗା ପେଟ୍ରୋଲ ଓ ବାରମ୍ବାର ସର୍ଭିସିଂ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼େ। ଅନ୍ୟପଟେ ଇ-ସ୍କୁଟର ପ୍ରତିଦିନ ଶସ୍ତା ଯାତ୍ରାର ଅନୁଭବ ଦିଏ। ଯଦି ଘର କିମ୍ବା ଅଫିସ ପାଖରେ ଚାର୍ଜିଂ ସୁବିଧା ଭଲ ଅଛି ଏବଂ ଦୈନନ୍ଦିନ ଯାତ୍ରା ସହର ଭିତରେ, ତେବେ ଇ-ସ୍କୁଟର ଆର୍ଥିକ ଦୃଷ୍ଟିରୁ ସବୁଠୁ ଭଲ ବିକଳ୍ପ। ତେବେ ଗାଡ଼ି ମାସକୁ ବହୁତ କମ୍ ଚାଲୁଥିଲେ ପେଟ୍ରୋଲ ବିକଳ୍ପ ଠିକ୍ ହୋଇପାରେ।


