ଭୁବନେଶ୍ଵର: ଭାରତରେ ଏବେ ସବୁଆଡେ ହାଇୱେ ଏବଂ ଏକ୍ସପ୍ରେସୱେ ନିର୍ମାଣ ହୋଇଛି, ଯାହା ଫଳରେ ଯାତ୍ରା ବହୁତ ସହଜ ହୋଇଯାଇଛି। ଏକ୍ସପ୍ରେସୱେ ଓ ହାଇୱେରେ ନିଜ କାରରେ ଯାତ୍ରା କରିବା ଏବେ ବହୁତ ସହଜ ଓ ଆରାମଦାୟକ ହୋଇଛି। ଏଥିସହ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅର୍ଥାତ୍ NHAI ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ସୁବିଧା ପାଇଁ ୧୦୩୩ ଏମର୍ଜେନ୍ସି ହେଲ୍ପଲାଇନ୍ ନମ୍ବର ଜାରି କରିଛି।
ଏହା ଏକ ଟୋଲ୍-ଫ୍ରି ନମ୍ବର ଯାହା ୨୪ ଘଣ୍ଟା କାମ କରେ ଏବଂ ଯେ କୌଣସି ଦୁର୍ଘଟଣା, ଗାଡ଼ି ଖରାପ ହେବା କିମ୍ବା ମେଡିକାଲ ସହାୟତା ସ୍ଥିତିରେ ତୁରନ୍ତ ଆମ୍ବୁଲାନ୍ସ କିମ୍ବା କ୍ରେନ୍ ସୁବିଧା ଯୋଗାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଯଦି ୧୦୩୩ ଡାଏଲ୍ କଲେ ରେସପନ୍ସ ମିଳୁନି କିମ୍ବା କଲ୍ ଲାଗୁନି, ତେବେ ଡରନ୍ତୁ ନାହିଁ। କାରଣ ୧୦୩୩ ବ୍ୟତୀତ ମଧ୍ୟ କିଛି ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚିପାରିବ।
୧୧୨ ଏବଂ ପୋଲିସ ହେଲ୍ପଲାଇନରେ ସାହାଯ୍ୟ ମାଗନ୍ତୁ
ଯଦି ୧୦୩୩ ନମ୍ବର କନେକ୍ଟ ହେଉନାହିଁ, ତେବେ ସର୍ବପ୍ରଥମେ ୧୧୨ ଡାଏଲ୍ କରିବା ଉଚିତ। କାରଣ ଏହା ଭାରତ ସରକାରଙ୍କ ସିଙ୍ଗଲ୍ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍ ଯାହା ସାରା ଦେଶରେ କାମ କରେ।
୧୧୨ରେ କଲ୍ କଲେ ଆପଣଙ୍କ ଯୋଗାଯୋଗ ସିଧା ନିକଟସ୍ଥ କଣ୍ଟ୍ରୋଲ ରୁମ୍ ସହ ହୋଇଯାଏ ଏବଂ ସେମାନେ ତୁରନ୍ତ ନିକଟସ୍ଥ ପୋଲିସ୍ ପିସିଆର୍ ଭ୍ୟାନ୍ କିମ୍ବା ଆମ୍ବୁଲାନ୍ସକୁ ଆପଣଙ୍କ ଲୋକେସନକୁ ପଠାଇ ଦିଅନ୍ତି। ଏହା ବ୍ୟତୀତ ଆପଣ ଯେଉଁ ରାଜ୍ୟ ବା ଜିଲ୍ଲାର ହାଇୱେରେ ଯାତ୍ରା କରୁଛନ୍ତି ସେଠାକାର ସ୍ଥାନୀୟ ହାଇୱେ ପେଟ୍ରୋଲିଂ ନମ୍ବର କିମ୍ବା ୧୦୦/୧୧୨ ନମ୍ବର ମଧ୍ୟ ବହୁତ କାରଗର ସାବ୍ୟସ୍ତ ହୁଏ।
NHAI ଆପ୍ ବ୍ୟବହାର କରନ୍ତୁ
ଆଜିର ଡିଜିଟାଲ୍ ସମୟରେ କେବଳ ଫୋନ୍ କଲ୍ ହିଁ ସାହାଯ୍ୟର ଏକମାତ୍ର ମାଧ୍ୟମ ନୁହେଁ। ଆପଣ NHAIର ଅଫିସିଆଲ୍ ମୋବାଇଲ୍ ଆପ୍ MyFASTag କିମ୍ବା Rajmargyatra ବ୍ୟବହାର ମଧ୍ୟ କରିପାରିବେ। ଏହି ଆପ୍ସରେ ଏମର୍ଜେନ୍ସି ଆସିଷ୍ଟାନ୍ସର ସିଧା ଅପ୍ସନ୍ ଦିଆଯାଇଛି ଯେଉଁଠି ବିନା କଲ୍ କରି ସିଧା ଲୋକେସନ୍ ସେୟାର କରି ସାହାଯ୍ୟ ମାଗିପାରିବେ।
ଏହା ବ୍ୟତୀତ NHAIର ଅଫିସିଆଲ୍ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ବହୁତ ଆକ୍ଟିଭ୍ ରହୁଛି। ଆପଣ ନିଜ ଲାଇଭ୍ ଲୋକେସନ୍ ସହ ସମସ୍ୟାର ମେସେଜ୍ ପଠାଇ ପାରିବେ। ଡିଜିଟାଲ୍ ମାଧ୍ୟମର ସବୁଠୁ ବଡ଼ ଫାଇଦା ହେଉଛି ଏଥିରେ ଆପଣଙ୍କ GPS ଲୋକେସନ୍ ତୁରନ୍ତ ଅଥରିଟି ପାଖରେ ପହଞ୍ଚିଯାଏ, ଯାହା ଫଳରେ ପେଟ୍ରୋଲିଂ ଟିମ୍ ଆପଣଙ୍କ ଗାଡ଼ିର ସଠିକ୍ ଜାଗା ଖୋଜିବାରେ ସମୟ ନଷ୍ଟ କରେନାହିଁ ଏବଂ ସାହାଯ୍ୟ ଶୀଘ୍ର ପହଞ୍ଚିଯାଏ।
ଟୋଲ୍ ପ୍ଲାଜାରୁ ସହାୟତା ମାଗନ୍ତୁ
ଯଦି ଗାଡ଼ି ଚାଲିବା ସ୍ଥିତିରେ ଅଛି ତେବେ ଏହାକୁ ତୁରନ୍ତ ହାଇୱେର ବାମ ପଟେ ଥିବା ଏମର୍ଜେନ୍ସି ଲେନ୍ ରେ ପାର୍କ କରି ଦିଅନ୍ତୁ ଏବଂ ହାଜାର୍ଡ ଲାଇଟ୍ ଅନ୍ କରି ଦିଅନ୍ତୁ। ଏହା ପରେ ଯଦି ୧୦୩୩ ଲାଗୁନି ତେବେ ନିଜ ଗାଡ଼ିର ଲୋକେସନ୍ ସଠିକ୍ ଜାଣିବା ପାଇଁ ରାସ୍ତା କଡ଼ରେ ଲାଗିଥିବା କିଲୋମିଟର ମାଇଲଷ୍ଟୋନରେ ଲେଖା ନମ୍ବର ଓ ଜାଗାର ନାଁ ଧ୍ୟାନ ଦେଇ ଦେଖନ୍ତୁ।
ଯଦି ଆପଣଙ୍କ ପାଖରେ ନିକଟତମ ଟୋଲ୍ ପ୍ଲାଜାର ରସିଦ ଅଛି ତେବେ ସେହି ପର୍ଚି ପଛରେ ମଧ୍ୟ ଟୋଲ୍ କଣ୍ଟ୍ରୋଲ ରୁମ୍ ର ଲୋକାଲ୍ ନମ୍ବର ଛପା ହୋଇଥାଏ। ସେହି ନମ୍ବରରେ କଲ୍ କରି ସିଧା ଟୋଲ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ। ଟୋଲ୍ ପ୍ଲାଜାର ନିଜସ୍ୱ ହାଇୱେ ରିକଭରୀ ଭ୍ୟାନ୍ ଓ ଆମ୍ବୁଲାନ୍ସ ଥାଏ ଯାହା କିଛି ମିନିଟ୍ ମଧ୍ୟରେ ଆପଣଙ୍କ ଲୋକେସନରେ ପହଞ୍ଚି ସାହାଯ୍ୟ ଯୋଗାଇ ପାରିବ।


