ଭୁବନେଶ୍ୱର: ରେଳବାଇ କାର୍ଯ୍ୟକଳାପରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇ ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୬ ପାଳନ କରାଯାଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ।
ଚଳିତ ବର୍ଷ ସତର୍କତା ସଚେତନତା ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ “Probity for Prosperity” (ସମୃଦ୍ଧି ପାଇଁ ସତ୍ୟନିଷ୍ଠା) ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି। ଏହି ବିଷୟବସ୍ତୁ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବା ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବା ଦିଗରେ ସତ୍ୟନିଷ୍ଠା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।
ଶପଥ ଗ୍ରହଣ ସମାରୋହରେ ରେଳ ଅଧିକାରୀ ଓ କର୍ମଚାରୀମାନେ ନିଜର ବୃତ୍ତିଗତ କାର୍ଯ୍ୟକଳାପରେ ସର୍ବୋଚ୍ଚ ସ୍ତରର ସତ୍ୟନିଷ୍ଠା ଓ ନୈତିକତା ବଜାୟ ରଖିବା, ସଚ୍ଚୋଟତା ଓ ନିରପେକ୍ଷତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ବୃହତ୍ତର ଜନସ୍ୱାର୍ଥରେ କାର୍ଯ୍ୟ କରିବା ପାଇଁ ପୁନଃ ସଂକଳ୍ପ ନେଇଥିଲେ। ଏହି ଶପଥରେ ପ୍ରଶାସନର ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା, ଦୁର୍ନୀତି ନିବାରଣ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ସତର୍କତା ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ହେଉଛି ଦୁର୍ନୀତି ନିବାରଣ କ୍ଷେତ୍ରରେ ନୈତିକ ଆଚରଣ ଓ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱ ସମ୍ପର୍କରେ ରେଳ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ଏହା ପୂର୍ବ ତଟ ରେଳପଥର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା, ନିରପେକ୍ଷତା ଓ ସତ୍ୟନିଷ୍ଠା ବଜାୟ ରଖିବା ପ୍ରତି ଥିବା ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରୁଛି।
ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବ ତଟ ରେଳପଥର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଅରୁଣ କୁମାର ଚତୁର୍ବେଦୀଙ୍କ ସମେତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟ ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସତର୍କତା ସଚେତନତା ସପ୍ତାହ ପାଳନ ମାଧ୍ୟମରେ ପୂର୍ବ ତଟ ରେଳପଥ ଯାତ୍ରୀ ଓ ଦେଶର ସେବାରେ ସତ୍ୟନିଷ୍ଠା, ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।


