ଆମେରିକାର ଟେକସାସ୍ର ମିଡଲ୍ୟାଣ୍ଡ ନିକଟସ୍ଥ ଓଡେଶାଠାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ୍ଙ୍କ ସୂଚନା ଅନୁସାରେ ଗତକାଲି ଦୁଇ ଜଣ ଆତତାୟୀ ପ୍ରଥମେ ଏକ ଟ୍ରକ୍କୁ ହାଇଜ୍ୟାକ୍ କରି ଗୁଳିମାଡ଼ ଆରମ୍ଭ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସରେ ଆମେରିକାର ଟେକସାସ୍ ଓ ଅହିୟାରେ ଦୁଇଟି ଭିନ୍ନ ଭିନ୍ନ ଗୁଳିମାଡ଼ ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ।