ଭୁବନେଶ୍ୱର: ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ସବ୍-ଇନ୍ସପେକ୍ଟର ସ୍ତରୀୟ ପରୀକ୍ଷା ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ ମସିହାରେ ବିଜ୍ଞାପିତ ମିଳିତ ପୋଲିସ ସେବା ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ଆଶାୟୀ ପ୍ରାର୍ଥୀଙ୍କ ସୁବିଧା ନିମନ୍ତେ ସେମାନଙ୍କ ପ୍ରମାଣପତ୍ର ଓ ତଥ୍ୟ ଅପଡେଟ୍ କିମ୍ବା ବୈଧୀକରଣ କରିବାର ଶେଷ ତାରିଖକୁ ଅଧିକ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଫଳରେ ବିଶେଷ କରି ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀଙ୍କ ସମେତ ସମସ୍ତ ଆବେଦନକାରୀ ନିଜର ଆବଶ୍ୟକୀୟ ତଥ୍ୟ ସଂଶୋଧନ ଓ ଦାଖଲ କରିବା ପାଇଁ ଅତିରିକ୍ତ ସମୟ ପାଇପାରିବେ।
ନୂତନ ଭାବେ ଧାର୍ଯ୍ୟ କରାଯାଇଥିବା ସମୟସୀମା ଅନୁଯାୟୀ, ପ୍ରାର୍ଥୀମାନେ ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆୟୋଗଙ୍କ ଆଫିସିଆଲ୍ ୱେବସାଇଟ୍କୁ ଯାଇ ନିଜର ପ୍ରମାଣପତ୍ର ଓ ତଥ୍ୟଗୁଡ଼ିକୁ ଅପଡେଟ୍ କିମ୍ବା ବୈଧୀକରଣ କରିପାରିବେ। ଏହି ସମୟସୀମା ମଧ୍ୟରେ ୱେବସାଇଟ୍ରେ ଲଗଇନ୍ କରି ନିଜର ସମସ୍ତ କାଗଜପତ୍ର ଦାଖଲ କରିବାକୁ ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟାରେ ସଂଶୋଧିତ କିମ୍ବା ବୈଧୀକୃତ ହୋଇଥିବା ତଥ୍ୟଗୁଡ଼ିକୁ ମିଳିତ ପୋଲିସ ସେବା ପରୀକ୍ଷାର ପରବର୍ତ୍ତୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ବୋଲି ଚୟନ ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଚୟନ ଆୟୋଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ପ୍ରାର୍ଥୀମାନଙ୍କ ପାଇଁ ନିଜର ପ୍ରମାଣପତ୍ର ଓ ତଥ୍ୟ ଅପଡେଟ୍ କରିବାର ଏହା ସମ୍ପୂର୍ଣ୍ଣ ଶେଷ ସୁଯୋଗ ଅଟେ। କୌଣସି ପରିସ୍ଥିତିରେ ବି ଏହି ସମୟସୀମାକୁ ଆଉ ଅଧିକ ବୃଦ୍ଧି କରାଯିବ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ପ୍ରାର୍ଥୀମାନେ ଏହି ପ୍ରକ୍ରିୟା ସମାପ୍ତ ନ କରିବେ, ସେଥିଯୋଗୁଁ ଉପୁଜିବାକୁ ଥିବା ସମସ୍ତ ପରିଣାମ ଓ ସମସ୍ୟା ପାଇଁ ସେମାନେ ନିଜେ ହିଁ ଦାୟୀ ରହିବେ। ଶେଷ ମୁହୂର୍ତ୍ତରେ ସର୍ଭର ଜନିତ କୌଣସି ବୈଷୟିକ ଅସୁବିଧା କିମ୍ବା ସମସ୍ୟାକୁ ଏଡ଼ାଇବା ପାଇଁ ଶେଷ ତାରିଖ ପୂର୍ବରୁ ହିଁ ନିଜର ଆବଶ୍ୟକୀୟ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବାକୁ ଆୟୋଗର ସଚିବ ନିର୍ଦ୍ଦେଶ ଦେଇଛନ୍ତି।


