କଳାଧନ ବିରୋଧରେ ଭାରତକୁ ଆଉ ଏକ ସଫଳତା ମିଳିବ । ଆଜିଠାର ଅର୍ଥାତ୍ ସେପ୍ଟେମ୍ବର ୧ତାରିଖରୁ ଭାରତର ଟ୍ୟାକ୍ସ ଅଧିକାରୀମାନେ ଅତି ସହଜରେ ସ୍ବିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳା ଧନ ସମ୍ପର୍କରେ ଜାଣିପାରିବେ । ସ୍ବିସ୍ ବ୍ୟାଙ୍କ ସିକ୍ରେସି ଯୁଗର ଅନ୍ତ ଘଟିବ । ଆଜିଠାରୁ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ ସ୍ବିସ୍ ବ୍ୟାଙ୍କ । ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନାର ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ସହିତ ଭାରତୀୟଙ୍କ ସ୍ବିସ୍ଙ୍କ ବ୍ୟାଙ୍କ ଖାତା ଉପରେ ରହସ୍ୟର ପରଦା ଉଠିଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କଳାଧନ ବିପକ୍ଷ ଲଢେଇରେ ଏହି ପଦକ୍ଷେପକୁ ବହୁତ ମହତ୍ଵପୂର୍ଣ୍ଣ ଦର୍ଶାଇଛି। ବୋର୍ଡ କହିଛି ଯେ ସେପ୍ଟେମ୍ବରରୁ ସ୍ବିସ ବ୍ୟାଙ୍କ ସମ୍ବନ୍ଧିତ ଗୋପନୀୟତାର ଯୁଗ ସମାପ୍ତ ହୋଇଯିବ। ଭାରତକୁ ସ୍ଵିଜରଲାଣ୍ଡରେ ଭାରତୀୟ ନାଗରିକଙ୍କ ୨୦୧୮ରେ ବନ୍ଦ ହୋଇଥିବା ଖାତାର ସୂଚନା ମଧ୍ୟ ମିଳିଯିବ। ସୂଚନା ଆଦାନ ପ୍ରଦାନର ଏହି ବ୍ୟବସ୍ଥା ଆରମ୍ଭ ହେବା ଠିକ୍ ପୂର୍ବରୁ ଭାରତ ଆସିଥିବା ସ୍ଵିଜରଲାଣ୍ଡର ଏକ ପ୍ରତିନିଧିମଣ୍ଡଳ ଅଗଷ୍ଟ ୨୯ ଓ ୩୦ ମଧ୍ୟରେ ରାଜସ୍ଵ ସଚିବ ଏ.ବି. ପାଣ୍ଡେ, ବୋର୍ଡର ଚେୟାରମ୍ୟାନ ପି.ସି. ମୋଦୀ ଓ ବୋର୍ଡର ସଦସ୍ୟ ଅଖିଳେଶ ରଞ୍ଜନ ସହିତ ବୈଠକ କରିଥିଲେ। ସ୍ଵିଜରଲାଣ୍ଡର ଅନ୍ତରାଷ୍ଟ୍ରୀୟ ଆର୍ଥିକ ମାମଲାର ରାଜ୍ୟ ସଚିବାଳୟରେ କର ବିଭାଗର ଉପପ୍ରମୁଖ ନିକୋଲାସ ମାରିଓ ସ୍ବିସ୍ ଭାରତ ଗସ୍ତ କରିଥିବା ପ୍ରତିନିଧୀମଣ୍ଡଳର ନେତୃତ୍ଵ ନେଇଛନ୍ତି। ତେବେ ମିଳିଥିବା ସୂଚକା ଅନୁସାରେ ୧୯୮୦ରୁ ୨୦୧୦ ଭିତରେ ୩୦ ବର୍ଷ ମଧ୍ୟରେ ଭାରତୀମାନେ ପାଖାପାଖି ୧୭,୨୫.୩୦୦ କୋଟିରୁ ୩୪,୩୦,୦୦୦ କୋଟି ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଇଛନ୍ତି ।