ନୂଆଦିଲ୍ଲୀ: ଇଉରୋପୀୟ ୟୁନିଅନ୍ ଶାନ୍ତିରକ୍ଷା ମିଶନ୍ ଅଧୀନରେ ବୋସ୍ନିଆ ଏବଂ ହର୍ଜେଗୋଭିନାରେ କାର୍ଯ୍ୟରତ ଇଟାଲୀ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଚିନୁକ୍ ହେଲିକପ୍ଟର ଏକ ନିୟମିତ ତାଲିମ ସମୟରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଶୋଚନୀୟ ଘଟଣାରେ ୪ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ବ୍ରଚ୍କୋ ନିକଟସ୍ଥ ଗୋରିସେ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାପରେ ଶାନ୍ତିରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଆହାତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ସ୍ଥାନୀୟ ଜରୁରୀକାଳୀନ ସେବା ସଂସ୍ଥା ଏବଂ ଶାନ୍ତିରକ୍ଷା ବାହିନୀର ନିରୀକ୍ଷଣ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ବ୍ରଚ୍କୋର ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି କିମ୍ବା ବେସାମରିକ ସମ୍ପତ୍ତି ଓ ଯାନବାହନର କୌଣସି କ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି। ଦୁର୍ଘଟଣାର ମୂଳ କାରଣ ଜାଣିବା ପାଇଁ ସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି। କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଏବଂ ଆହାତ କିମ୍ବା ମୃତକଙ୍କ ପରିଚୟ ନେଇ କୌଣସି ଅପପ୍ରଚାର ବା କଳ୍ପନାଜଳ୍ପନା ନକରିବାକୁ ନିବେଦନ କରାଯାଇଛି। ଏହି ଦୁଃଖଦ ଘଟଣାରେ ଇଟାଲୀର ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଶାନ୍ତି ମିଶନ୍ରେ ନିୟୋଜିତ ସମସ୍ତ ସୈନିକଙ୍କ ପ୍ରତି ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି।


