ନୂଆଦିଲ୍ଲୀ: IDBI ବ୍ୟାଙ୍କର ଘରୋଇକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବ୍ୟାଙ୍କକୁ ଘରୋଇ ହାତରେ ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସେ ପ୍ରଶ୍ନ ଉଠାଇବା ସହ ଏହାକୁ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବୋଲି ଦର୍ଶାଇଛନ୍ତି। ଏଥିସହ IDBI ବ୍ୟାଙ୍କର କର୍ମଚାରୀମାନଙ୍କ ସହ ସେ ଠିଆ ହୋଇଥିବା ଘୋଷଣା କରିଛନ୍ତି।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ, ଦେଶର ଶିଳ୍ପ ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କଂଗ୍ରେସ ଶାସନ ସମୟରେ IDBI ପରି ବ୍ୟାଙ୍କ ଗଠନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ସରକାର ସେହି ଅନୁଷ୍ଠାନଗୁଡ଼ିକୁ ଘରୋଇ ହାତକୁ ହସ୍ତାନ୍ତର କରିବାକୁ ଉଦ୍ୟମ କରୁଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, IDBI ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟାରେ ପ୍ରଥମେ ବିଡ୍କୁ ବିଚାରକୁ ନିଆଯାଇଥିଲା ଏବଂ ପରେ ଏହାର ମୂଲ୍ୟ ସ୍ଥିର କରାଯାଇଥିଲା। ଏହି ପ୍ରକ୍ରିୟାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
IDBI ବ୍ୟାଙ୍କର କର୍ମଚାରୀମାନଙ୍କୁ ଚିଠି ଲେଖି ରାହୁଲ ଗାନ୍ଧୀ ସେମାନଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। କର୍ମଚାରୀମାନଙ୍କ ଉଦ୍ୟମରେ ବ୍ୟାଙ୍କ କ୍ଷତିରୁ ଲାଭକୁ ଫେରିଥିବା ବେଳେ ଏହାକୁ ଘରୋଇ ହାତରେ ଦେବା ନିଷ୍ପତ୍ତି କେତେ ଯୁକ୍ତିଯୁକ୍ତ, ସେନେଇ ସେ ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ, ବ୍ୟାଙ୍କର ଉନ୍ନତି ପାଇଁ କର୍ମଚାରୀମାନେ ଦୀର୍ଘ ସମୟ ଧରି ପରିଶ୍ରମ କରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଅବଦାନକୁ ଅଣଦେଖା କରି ବ୍ୟାଙ୍କର ମାଲିକାନା ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ଉଚିତ୍ ନୁହେଁ ବୋଲି ରାହୁଲ ମତ ଦେଇଛନ୍ତି।
IDBI ବ୍ୟାଙ୍କର ଘରୋଇକରଣ ପ୍ରସଙ୍ଗ ଏବେ ରାଜନୈତିକ ବିତର୍କର ରୂପ ନେଇଛି। ଗୋଟିଏ ପଟେ ସରକାରଙ୍କ ଘରୋଇକରଣ ନୀତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ବ୍ୟାଙ୍କର ଭବିଷ୍ୟତ, କର୍ମଚାରୀଙ୍କ ସ୍ୱାର୍ଥ ଏବଂ ଆର୍ଥିକ ପରିଚାଳନାକୁ ନେଇ ଚର୍ଚ୍ଚା ବଢ଼ିଛି। ରାହୁଲ ଗାନ୍ଧୀଙ୍କ ଏହି ବୟାନ ମାଧ୍ୟମରେ କଂଗ୍ରେସ IDBI ଘରୋଇକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ାଇବାକୁ ଉଦ୍ୟମ କରିଛି। ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ନଜର ରହିବ।


