ନୂଆଦିଲ୍ଲୀ: ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିନ୍ତାଫୁ ହ୍ରଦ ଭାଙ୍ଗିଯିବା ଫଳରେ ପ୍ରଚଣ୍ଡ ଗ୍ଲେସିଅର୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (ଜଳପ୍ଲାବନ) ସୃଷ୍ଟି ହୋଇଛି । ଏହି ଗ୍ଲାସିଅର୍ ହ୍ରଦ ଫାଟିଯିବା ଫଳରେ ସୃଷ୍ଟ ପ୍ରବଳ ବନ୍ୟା ଜଳ ଭୁଟାନରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହିତ ନିକଟବର୍ତ୍ତୀ ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆସାମରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ହିନ୍ଦୁକୁଶ ହିମାଳୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ଏହିପରି ଭୂ-ପ୍ରାକୃତିକ ବିପଦ ନିକଟବର୍ତ୍ତୀ ସମସ୍ତ ପଡ଼ୋଶୀ ଅଞ୍ଚଳ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି ।
ଗାସା ଜିଲ୍ଲାର ଲୁଙ୍ଗୋ ଏବଂ ଲାୟା ଗେୱୋଗ୍ ସୀମାନ୍ତରେ ଥିବା ୱାକିଲା ପାହାଡ଼ ନିକଟସ୍ଥ ସିନ୍ତାଫୁ ହ୍ରଦରେ ଗତ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ ଏହି ବନ୍ଧ ଭାଙ୍ଗିଥିଲା । ସେହିଦିନ ରାତି ପ୍ରାୟ ୮ଟା ସମୟରେ ବନ୍ୟାଜଳ ଅତି କ୍ଷିପ୍ର ଗତିରେ ତଳିଆ ଅଞ୍ଚଳ ତକ୍ତସେମାଖାଙ୍ଗ ଆଡ଼କୁ ମାଡ଼ି ଆସିଥିଲା । ଏହି ପ୍ରବଳ ଜଳସ୍ରୋତ ଭୁଟାନର ସବୁଠାରୁ ଦୁର୍ଗମ ପାହାଡ଼ିଆ ଅଞ୍ଛଳ ଲାୟାକୁ ଯୋଡ଼ୁଥିବା ଅନେକ ମୁଖ୍ୟ ରାସ୍ତା ଏବଂ ପୋଲଗୁଡ଼ିକୁ ସମ୍ପୂର୍ଣ୍ଣ ଧୋଇ ନେଇଛି, ଯାହାଫଳରେ ଏହି ଅଞ୍ଚଳଟି ମୂଳ ଭୂଖଣ୍ଡରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଏହା ସହିତ ଗାସା ଛାଚୁ ଉଷ୍ମପ୍ରସ୍ରବଣ ପରିସର ମଧ୍ୟ ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପୁନାଖା-ଗାସା ରାଜପଥ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ଏହି ବିପଜ୍ଜନକ ସ୍ଥିତି ସମ୍ପର୍କରେ ଭୁଟାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଯାଇଥିଲା । ସୂଚନା ପାଇବା କ୍ଷଣି କେନ୍ଦ୍ରୀୟ ଜଳ ଆୟୋଗ ଅକ୍ଟୋବର ୨୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଆସମର ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଁ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରିଥିଲେ । ସଂକୋଶ ନଦୀରେ ଜଳସ୍ତର ପ୍ରାୟ ୨ ଫୁଟ ବୃଦ୍ଧି ପାଇବା ପରେ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା କଟକଣା କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗର ଆଲିପୁରଦୁଆର ଜିଲ୍ଲାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅସମର ଧୁବୁରୀ ଏବଂ କୋକରାଝାର ଜିଲ୍ଲାର ସଂବେଦନଶୀଳ ଅଞ୍ଚଳଗୁଡ଼ିକରେ କେନ୍ଦ୍ରୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଟିମ୍ ମୋତୟନ କରାଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ହିମାଳୟ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା କାଠମାଣ୍ଡୁସ୍ଥିତ ଆନ୍ତଃ-ସରକାରୀ ସଂସ୍ଥା ‘ଇସିମୋଡ୍’ ଅନୁଯାୟୀ, ସିନ୍ତାଫୁ ହ୍ରଦରେ ପ୍ରାୟ ୬୦ ରୁ ୭୦ ଲକ୍ଷ ଘନ ମିଟର ଜଳ ଗଚ୍ଛିତ ଥିଲା, ଯାହା ପ୍ରାୟ ୨,୪୦୦ ରୁ ୨,୮୦୦ ଓଲମ୍ପିକ୍ ଆକାରର ସ୍ୱିମିଂ ପୁଲ୍ର ଜଳ ସହିତ ସମାନ । ଏହି ବିଦାରଣ ଯୋଗୁଁ କେତେ ପରିମାଣର ଜଳ ନିଷ୍କାସିତ ହୋଇଛି ତାହାର ଆକଳନ ଜାରି ରହିଛି । ସମ୍ପ୍ରତି ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ଏପରି ପାର୍ବତ୍ୟ ବିପର୍ଯ୍ୟୟ ବାରମ୍ବାର ଦେଖାଯାଉଛି । ଗତ ଅଗଷ୍ଟ ମାସରେ ନେପାଳର ଗିରୋଙ୍ଗ-ରସୁଆ ନଦୀ ବେସିନ୍ରେ ହୋଇଥିବା ବରଫ-ପଥର ଧସିବା ଏବଂ ଅକ୍ଟୋବର ଶେଷ ସପ୍ତାହରେ ବୁଢ଼ୀ ଗଣ୍ଡକୀ ଇଲାକାରେ ଆସିଥିବା ଆକସ୍ମିକ ବନ୍ୟା ଏହାର ଜ୍ୱଳନ୍ତ ଉଦାହରଣ ।
ଇସିମୋଡ୍ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ପୂର୍ବ ନିରୀକ୍ଷଣ ଅନୁଯାୟୀ କୋଶୀ, ଗଣ୍ଡକୀ ଏବଂ କର୍ଣ୍ଣାଳୀ ନଦୀ ଅବବାହିକାରେ ୪୭ଟି ଅତି ବିପଜ୍ଜନକ ଗ୍ଲେସିଅର୍ ହ୍ରଦ ଚିହ୍ନଟ ହୋଇଛି । ସମଗ୍ର ହିନ୍ଦୁକୁଶ, କାରାକୋରମ୍ ଏବଂ ପୂର୍ବ-ମଧ୍ୟ ହିମାଳୟ ପାର୍ବତ୍ୟାଞ୍ଚଳରେ ଏପର୍ଯ୍ୟନ୍ତ ୩୮୮ଟି ଏପରି ହ୍ରଦ ଭାଙ୍ଗିବା/ଫାଟିବା ଘଟଣା ନଥିଭୁକ୍ତ ହୋଇସାରିଛି । ଭୁଟାନର ଜାତୀୟ ଜଳବିଜ୍ଞାନ ଏବଂ ପାଣିପାଗ କେନ୍ଦ୍ର ପକ୍ଷରୁ ସଠିକ୍ ସମୟରେ ମିଳିଥିବା ପୂର୍ବାନୁମାନ ଓ ଆଗୁଆ ସୂଚନା ଯୋଗୁଁ ଏକ ବଡ଼ ଧରଣର ବିପଦକୁ ଏଡ଼ାଯାଇ ପାରିଛି । ଆଗାମୀ ଦିନରେ ଏହିପରି ପାର୍ବତ୍ୟ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଆଞ୍ଚଳିକ ସ୍ତରରେ ଆଗୁଆ ସୂଚନା ବ୍ୟବସ୍ଥା, ପ୍ରସ୍ତୁତି ଏବଂ ସୀମାପାର ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।


