ଖୋର୍ଦ୍ଧା: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ପଟେଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ଆଜି ସକାଳ ୭ ଘଟିକାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ଏକତା ମାରାଥନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ SP ପାରମାର ସ୍ମିତ ପାରୁଷୋତ୍ତମ ଦାସ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ନିରାପତ୍ତା ପ୍ରତ୍ୟେକ ନାଗରିକର ପ୍ରଧାନ କର୍ତ୍ତବ୍ୟ ବୋଲି ସେ ଆହ୍ୱାନ ଦେଇଥିଲେ।
ଏହି ମାରାଥନରେ ଅତିରିକ୍ତ SP ଶ୍ରୀନିବାସ ମହାନ୍ତି, ଅନାଦି ଚରଣ ସେଠୀ, ସଦର BDO ସିଦ୍ଧାର୍ଥ ପଟ୍ଟନାୟକ, RI ବିଜୟ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ପୋଲିସ ଅଧିକାରୀ, ଛାତ୍ରଛାତ୍ରୀ ଓ କ୍ରୀଡାବିତମାନେ ସାମିଲ ହୋଇ ପଲା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର SP ଅଫିସ ଯାଏଁ ଏକତାର ବାର୍ତ୍ତା ଦେଇଥିଲେ।

ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଏକତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ରାଜ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର, D.I.P.R.O ଲକ୍ଷ୍ମଣ କୁମାର ବେହେରା ଓ ସମସ୍ତ ଡେପୁଟୀ କଲେକ୍ଟରମାନେ ଉପସ୍ଥିତ ରହି ଏକତା ଶପଥ ନେଇଥିଲେ।
ଅପରାହ୍ନରେ ତର୍ତୁଆ ସ୍ଥିତ R.O ଗ୍ରାଉଣ୍ଡରେ ଜିଲ୍ଲା ପୋଲିସ ପକ୍ଷରୁ ଏକତା ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। RI ବିଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ୟାରେଡରେ SP ଶ୍ରୀ ଦାସ ଅଭିବାଦନ ଗ୍ରହଣ କରିଥିଲେ।


