ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ରକ୍ତରଞ୍ଜିତ ହୋଇଛି ରାସ୍ତା। ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଛାତିଥରା ସିରିଜ୍ ଦୁର୍ଘଟଣା। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଲୋକଙ୍କ ସହ ଏକ କାରକୁ ଧକ୍କା ଦେବାରୁ ଚାଲିଯାଇଛି ୨ ଜଣଙ୍କ ଜୀବନ। ଏହାସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ।
ସୂଚନା ଅନୁସାରେ, ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲା। ଏହାପରେ ବସ୍ଟି ରାସ୍ତାକଡ଼ରେ ଥିବା ଏକାଧିକ ଲୋକଙ୍କୁ ଧକ୍କା ଦେବା ସହ ସେଠାରେ ଛିଡ଼ା ହୋଇଥିବା ଏକ କାର୍କୁ ମଧ୍ୟ ପିଟିଥିଲା। ଅଚାନକ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲୋକେ କିଛି ବୁଝିବା ପୂର୍ବରୁ ବସ୍ଟି ମାଡ଼ି ଆସିଥିଲା। ରାସ୍ତାକଡ଼ରେ ଥିବା ଲୋକଙ୍କ ଉପରେ ବସ୍ ଚଢ଼ିଯାଇଥିଲା। ଆହତମାନେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
ପୁଲିସ ମୃତଦେହ ଦୁଇଟିକୁ ଜବତ କରିବା ସହ ମାମଲା ରୁଜୁ କରିଛି। ବସ୍ଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା, ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିଚୟ ଜାଣିବାକୁ ମଧ୍ୟ ପୁଲିସ ଉଦ୍ୟମ କରୁଛି।


