ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଜନଗହଳିପୂର୍ଣ୍ଣ ମାଉସୀ ମା’ ଛକରେ ଗୁଳିକାଣ୍ଡ ଘଟି ଜଣଙ୍କ ଜୀବନ ଯାଇଛି। କୌଣସି ଏକ କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା। ଦେଖୁ ଦେଖୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଏବଂ ଶେଷରେ ଗୁଳି ଫୁଟିଥିଲା। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ମାଉସୀ ମା’ ଛକରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଝଗଡ଼ା ଆରମ୍ଭ ହୋଇଥିଲା। ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ରୂପ ନେଇଥିଲା। ଏହାପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳି ବାଜିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗୁଳିମାଡ଼ର ପ୍ରକୃତ କାରଣ କ’ଣ, କେଉଁମାନେ ଏଥିରେ ସମ୍ପୃକ୍ତ ଏବଂ କେଉଁ ପରିସ୍ଥିତିରେ ଗୁଳି ଚାଲିଲା, ସେନେଇ ଛାନଭିନ୍ ଜାରି ରହିଛି। ଘଟଣାର ପ୍ରତ୍ୟେକ ଦିଗକୁ ଯାଞ୍ଚ କରୁଛି ପୁଲିସ।
ଭୁବନେଶ୍ୱରର ଏକ ପ୍ରମୁଖ ଛକରେ ଗୁଳିକାଣ୍ଡ ଓ ଜଣଙ୍କ ମୃତ୍ୟୁ ଘଟଣା ପୁଣି ଥରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ସାମାନ୍ୟ ବିବାଦରୁ ଗୁଳିମାଡ଼ ଭଳି ହିଂସାତ୍ମକ ଘଟଣା ଘଟିବା ଚିନ୍ତାଜନକ। ତେବେ ଏହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।


