ଓ୍ବାସିଂଟନ୍: ଆମେରିକା ପ୍ରଶାସନର ବରିଷ୍ଠ କୂଟନୀତିଜ୍ଞ ତଥା ବୈଦେଶିକ ସଚିବ ମାର୍କୋ ରୁବିଓ ନିଜ ପଦବୀରୁ ଓହରିଯିବା ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସମ୍ପ୍ରତି ଶାସକ ଦଳ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଆଶାନୁରୂପ ଫଳାଫଳ ପାଇବାରେ ବିଫଳ ହେବା ପରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଏହି ପରିପ୍ରେକ୍ଷୀରେ ସେ ପ୍ରଶାସନ ଛାଡ଼ିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ସେ ଏହିସବୁ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ ରାଷ୍ଟ୍ରପତିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ଆଲୋଚନା ସମୟରେ ରୁବିଓ ପ୍ରକାଶ କରିଛନ୍ତି ଯେ ତାଙ୍କର ପଦତ୍ୟାଗ କରିବାର କୌଣସି ଯୋଜନା ନାହିଁ। ସେହିପରି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ସେ ନିଜ ଦାୟିତ୍ୱରୁ ଓହରିଯିବେ ବୋଲି ହେଉଥିବା ଚର୍ଚ୍ଚାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ମିଶି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରିବା ତାଙ୍କର ପ୍ରାରମ୍ଭିକ ଯୋଜନା ଥିଲା ଏବଂ ସେହି ଅନୁସାରେ ସେ କାର୍ଯ୍ୟ ଜାରି ରଖିବେ। ଏଭଳି ଭିତ୍ତିହୀନ ଚର୍ଚ୍ଚା କେଉଁଠାରୁ ଏବଂ କିପରି ଆରମ୍ଭ ହେଉଛି, ସେ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ନିଜର ଦାୟିତ୍ୱ ଓ ସରକାରୀ ନୀତି ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିବା ଦର୍ଶାଇ ସେ ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି।


