ଭୁବନେଶ୍ୱର: ସଡ଼କ ପ୍ରକଳ୍ପରେ ନୂଆ ସର୍ତ୍ତ। ୯୦% ଜମି ନିର୍ମାଣ ପାଇଁ ଉପଲବ୍ଧ ନହେଲେ ଘୋଷଣା ହେବନି କାର୍ଯ୍ୟାରମ୍ଭ ତାରିଖ। ରାଜ୍ୟରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସରକାର ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କରିଛନ୍ତି।
ଏଣିକି କୌଣସି ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ ଘୋଷଣା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ନିର୍ମାଣ କାର୍ଯ୍ୟ ପାଇଁ ଉପଲବ୍ଧ ହେବା ବାଧ୍ୟତାମୂଳକ। ଏହାସହ ସମସ୍ତ ଆବଶ୍ୟକ ଅନୁମତି ଓ ଅନୁମୋଦନ ମିଳିଥିବା ବାଧ୍ୟତାମୂଳକ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(ଜେ)ରେ ସଂଶୋଧନ କରାଯାଇଛି। ପୂର୍ବରୁ ସଡ଼କ ପ୍ରକଳ୍ପର ଠିକା ଦେବା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ଥିବା ସର୍ତ୍ତ ରହିଥିଲା। ଏବେ ଏହି ସର୍ତ୍ତକୁ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ସହ ଯୋଡ଼ାଯାଇଛି। ଏଣିକି ଜଙ୍ଗଲ, ବନ୍ୟପ୍ରାଣୀ ଅନୁମତି ଓ ପରିବେଶ ମଞ୍ଜୁରୀ ଜରୁରୀ । ଜମି ଅଧିଗ୍ରହଣ, ବିଦ୍ୟୁତ୍ ଓ ଜଳ ସେବା ସମ୍ପୂର୍ଣ୍ଣ ହୋଇଥିବା ଜରୁରୀ।


