ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ୱେଲିଂଟନରେ ଦ୍ୱିତୀୟ ODI ରେ ନିଆଯାଇଥିବା ଗୋଟିଏ ନିଷ୍ପତ୍ତିକୁ ନେଇ ହଙ୍ଗାମା ହୋଇଥିଲା, ଏବେ ସେହି ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି ଗାଭାସ୍କର।
ୱେଲିଂଟନରେ ଭାରତୀୟ ଟିମ୍ ୧୩୫ ରନ୍ ଲକ୍ଷ୍ୟର ପିଛା କରୁଥିଲା। ଟିମ୍ ମ୍ୟାନେଜମେଣ୍ଟ କେଏଲ୍ ରାହୁଲଙ୍କୁ ତଳକୁ ପଠାଇ ଅକ୍ସର ପଟେଲଙ୍କୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ପଠାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଜୋରଦାର ସମାଲୋଚନା ହୋଇଥିଲା। କିନ୍ତୁ ଗାଭାସ୍କରଙ୍କ ଚିନ୍ତାଧାରା ଭିନ୍ନ।
ଭାରତୀୟ ଟିମ୍ ୩୯ ରନ୍ ରେ ୩ ଟି ୱିକେଟ୍ ହରାଇ ସାରିଥିଲା। ସାଧାରଣତଃ ୫ ନମ୍ବରରେ କେଏଲ୍ ରାହୁଲ ଆସନ୍ତି, କିନ୍ତୁ ଅକ୍ସର ଆସିବା ପରେ ସୋସିଆଲ ମିଡିଆରେ ଗମ୍ଭୀରଙ୍କ ବିରୋଧରେ ସମାଲୋଚନା କରାଯାଇଥିଲା। ଗାଭାସ୍କର କହିଛନ୍ତି ଯେ, ସେ ସମୟରେ ବୋଲରଙ୍କ ଲୟ ଭାଙ୍ଗିବା ପାଇଁ ଅକ୍ସରଙ୍କୁ ୫ ନମ୍ବରରେ ପଠାଇବା ରଣନୈତିକ ଦୃଷ୍ଟିରୁ ଏକ ଭଲ ନିଷ୍ପତ୍ତି ଥିଲା।
ରଣନୈତିକ ଆଧାରରେ ନିଆଯାଇଥିବା ନିଷ୍ପତ୍ତି:
ମ୍ୟାଚ୍ ପରେ ଗାଭାସ୍କର କହିଛନ୍ତି ଯେ, “ଯଦି ଜଣେ ବାମହାତୀ ବ୍ୟାଟର ଆସେ, ତେବେ ବୋଲରଙ୍କୁ ଅସୁବିଧା ହୁଏ କାରଣ ତାଙ୍କୁ ନିଜ ଲାଇନ୍ ଓ ଲେନ୍ଥ ବଦଳାଇବାକୁ ପଡ଼େ। ଏପରି କରିବାକୁ ଯାଇ ଡାହାଣହାତୀ ବ୍ୟାଟରଙ୍କ ବିରୋଧରେ ମଧ୍ୟ ବୋଲରଙ୍କ ଲୟ ବିଗିଡ଼ି ଯାଇପାରେ। ଏଥିରୁ ଅଧିକ ରନ୍ କରିବାର ସୁଯୋଗ ମିଳେ।”
ତେବେ ଆକଳନ ଅନୁସାରେ ଅକ୍ସରଙ୍କୁ ଉପରକୁ ପଠାଇବା ନିଷ୍ପତ୍ତି ସଫଳ ହୋଇନଥିଲା, କାରଣ ସେ ୧୭ ଟି ବଲ୍ ଖେଳି ମାତ୍ର ୭ ରନ୍ କରି ପାରିଥିଲେ।
ବଦଳି ଯାଇପାରିଥାନ୍ତା ମ୍ୟାଚ୍ ର ଫଳାଫଳ:
ଗାଭାସ୍କର କହିଛନ୍ତି ଯେ, ଏଭଳି ନିଷ୍ପତ୍ତିରେ କିଛି ଭୁଲ୍ ନାହିଁ।” ଯଦି ଅକ୍ସର ରନ୍ କରି ଦେଇଥାନ୍ତେ, ତେବେ ଲୋକେ କହିଥାନ୍ତେ କି ବଢ଼ିଆ କ୍ୟାପ୍ଟେନସି। ଏଭଳି ପ୍ଲାନ୍ କେବେ କାମ କରେ, କେବେ ଫେଲ୍ ହୁଏ। ଆପଣ ଜାଣିଥିଲେ ପରେ କେଏଲ୍ ରାହୁଲଙ୍କ ଭଳି ବଢ଼ିଆ ଖେଳାଳି ଅଛନ୍ତି, ସେଥିପାଇଁ ଆପଣ ଏକ୍ସପେରିମେଣ୍ଟ କରିପାରନ୍ତି।”
ଅକ୍ସର ପଟେଲଙ୍କୁ ବେଳେବେଳେ ଉପର କ୍ରମରେ ବ୍ୟାଟିଂ କରିବାକୁ ପଠାଯାଇଛି। ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ୍ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ଥିଲା। ଫାଇନାଲରେ ଭାରତ ୩୪ ରନ୍ ରେ ୩ ୱିକେଟ୍ ହରାଇଥିଲା, ଏହାପରେ ୫ ନମ୍ବରରେ ବ୍ୟାଟିଂ କରି ଅକ୍ସର ୪୭ ରନ୍ ର ମୂଲ୍ୟବାନ୍ ଇନିଂସ୍ ଖେଳିଥିଲେ ଏବଂ ବିରାଟ କୋହଲିଙ୍କ ସହ ମିଶି ୭୨ ରନ୍ ର ମ୍ୟାଚ୍ ବିଜୟୀ ଭାଗିଦାରୀ କରିଥିଲେ।


