ଅମରାବତୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଅନ୍ନା କୋନିଡେଲା ବିବାହର ୧୩ ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି। ଗତକାଲି ରାତିରେ ପବନ କଲ୍ୟାଣଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ମିଳିତ ଭାବେ ଦୁହେଁ ଏହି ସୂଚନା ଦେଇଛନ୍ତି। ପାରସ୍ପରିକ ବୁଝାମଣା ଏବଂ ସମ୍ମାନର ସହ ସେମାନେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ବିବାହ ସମ୍ପର୍କ ଶେଷ ହୋଇଥିଲେ ବି ଆଗକୁ ଭଲ ବନ୍ଧୁ ହୋଇ ରହିବେ ଏବଂ ସନ୍ତାନମାନଙ୍କର ଲାଳନପାଳନ ପାଇଁ ନିଷ୍ଠାପର ମାତା-ପିତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ତାଙ୍କର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଦମ୍ପତି ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।
ଏହି ବିଚ୍ଛେଦ ସହ ପବନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ଏହା ପୂର୍ବରୁ ସେ ୧୯୯୭ରେ ନନ୍ଦିନୀଙ୍କୁ ବିବାହ କରିଥିଲେ, ଯାହା ୧୯୯୯ରେ ଅଲଗା ହୋଇଥିଲା। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଈଙ୍କୁ ବିବାହ କରିଥିବା ବେଳେ ୨୦୧୨ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ରେଣୁ ଓ ପବନଙ୍କର ଦୁଇଟି ସନ୍ତାନ ଅଛନ୍ତି। ୨୦୧୩ରେ ସେ ରୁଷୀୟ ନାଗରିକ ଅନ୍ନାଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କର ପୋଲେନା ଅଞ୍ଜନା ଓ ମାର୍କ ଶଙ୍କର ନାମରେ ଦୁଇଟି ସନ୍ତାନ ଅଛନ୍ତି।
ଅଭିନେତା ଚିରଞ୍ଜୀବୀଙ୍କ ସାନଭାଇ ପବନ କଲ୍ୟାଣ ୧୯୯୬ରେ ‘ଅକ୍କଡ଼ା ଅମ୍ମାୟି ଇକ୍ସଡ଼ା ଅବାୟି’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୦୮ରେ ସେ ପ୍ରଜା ରାଜ୍ୟମ୍ ପାର୍ଟିର ଯୁବମୋର୍ଚ୍ଚାରୁ ରାଜନୈତିକ ଯାତ୍ରା ଆରମ୍ଭ କରି ୨୦୧୪ରେ ନିଜସ୍ୱ ‘ଜନସେନା ପାର୍ଟି’ ଗଠନ କରିଥିଲେ। ୨୦୧୯ ନିର୍ବାଚନରେ ବିଫଳତା ପରେ, ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି TDP ଓ BJP ସହ ମେଣ୍ଟ କରି ବିଶାଳ ବିଜୟ ହାସଲ କରିଥିଲା। ଏହାପରେ ୧୪ ଜୁନ୍ ୨୦୨୪ରେ ସେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।


