ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି। ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, ଶ୍ରାବଣ-ଭାଦ୍ରବ ମାସରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହା କିଛି ନୂଆ କଥା ନୁହେଁ। ଏହାକୁ କେବଳ ରାଜନୀତିକରଣ କରାଯାଉଛି। ଜିଡିପି ଖୁବ୍ ତଳକୁ ଖସି ଆସିଥିବା ବେଳେ ଏହାକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଏପରି ସ୍ଥିତିରେ ସୁଶୀଲଙ୍କ ଏପରି ହାଲକା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ଖୁବ୍ ଆଲୋଚନା କରାଯାଉଛି। ସୁଶୀଲଙ୍କ ମତରେ, ଶ୍ରାବଣ-ଭାଦ୍ରବ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ୱାଭାବିକ। ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର ୩୨ ସୂତ୍ରୀ ପ୍ୟାକେଜ ଘୋଷଣା କରିବା ସହିତ ୧୦ଟି ଛୋଟ ବ୍ୟାଙ୍କର ବିଲୟ କରିବାକୁ ଯୋଜନା କରିଛନ୍ତି । ସରକାରଙ୍କ ଏହି ଉପାୟର ପ୍ରଭାବରେ ଆସନ୍ତା ମାସଗୁଡ଼ିକରେ ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ। ତେଣୁ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବିହାରରେ ମାନ୍ଦାବସ୍ଥାର କୌଣସି ପ୍ରଭାବ ପଡ଼ି ନ ଥିବା କହିଛନ୍ତି ସୁଶୀଲ ମୋଦି।