ନୂଆଦିଲ୍ଲୀ: ୨୦୨୭ ଆଇପିଏଲ ପୂର୍ବରୁ ସବୁଠାରୁ ବଡ଼ ଟ୍ରେଡ୍ ନିଶ୍ଚିତ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳିବେ, ଆଉ ଅର୍ଶଦୀପ ସିଂହ ମୁମ୍ବାଇ ଜର୍ସି ପିନ୍ଧିବେ।
ଆଜି IPL ପକ୍ଷରୁ ଅଫିସିଆଲ୍ ଭାବେ ଏହି ଟ୍ରେଡ୍ ଘୋଷଣା କରାଯାଇଛି। ଏହା ପ୍ଲେୟାର-ଟୁ-ପ୍ଲେୟାର ଟ୍ରେଡ୍। ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଫି ସହିତ ପଞ୍ଜାବ ଯାଉଛନ୍ତି। ଆଗରୁ ତାଙ୍କ ଫି ଥିଲା ୧୬.୩୫ କୋଟି, ଏବେ ସେ ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ ସହ ଯୋଡ଼ି ହେଲେ। ସେପଟେ ଅର୍ଶଦୀପ ସିଂହ ନିଜର ପୁରୁଣା ୧୮ କୋଟି ଫି ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ୍ ହେଲେ।
ହାର୍ଦ୍ଦିକ ୨୦୧୫ ରେ ମୁମ୍ବାଇରୁ ହିଁ IPL ଡେବ୍ୟୁ କରିଥିଲେ। ମୁମ୍ବାଇ ସହ ସେ ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ରେ ୪ ଥର ଟାଇଟଲ୍ ଜିତିଛନ୍ତି। ମଝିରେ ୨୦୨୨ ଏବଂ ୨୦୨୩ ରେ ସେ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍ ଥିଲେ। ଏବେ ପଞ୍ଜାବ ହେବ ତାଙ୍କର ତୃତୀୟ ଫ୍ରାଞ୍ଚାଇଜ୍।
ଅର୍ଶଦୀପ ସିଂହ ୨୦୧୯ ରେ ପଞ୍ଜାବରୁ ଡେବ୍ୟୁ କରି ୨୦୨୬ ଯାଏଁ ସେହି ଟିମ୍ ରେ ଥିଲେ। ଏବେ ମୁମ୍ବାଇ ହେବ ତାଙ୍କର ଦ୍ୱିତୀୟ ଟିମ୍। ସେ ଟି-୨୦ ଇଣ୍ଟରନେସନାଲ୍ ରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର।
ମୁମ୍ବାଇ ପାଖରେ ଏବେ ଯଶପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହଙ୍କ ଯୋଡ଼ି ରହିବ। କିନ୍ତୁ ବଡ଼ ପ୍ରଶ୍ନ – ମୁମ୍ବାଇର ନୂଆ କ୍ୟାପଟେନ୍ କିଏ ହେବେ? ପଞ୍ଜାବ ପାଖରେ ଏବେ ଶ୍ରେୟସ ଆୟରଙ୍କ କ୍ୟାପଟେନ୍ସିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡର ରହିବେ।


