ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାମପୁରରୁ ବଡ଼ ଖବର ଆସୁଛି। 2007-08 ର ଚର୍ଚ୍ଚିତ CRPF କ୍ୟାମ୍ପ ଆକ୍ରମଣ ମାମଲାର ଅଭିଯୁକ୍ତ ମହମ୍ମଦ ଶରିଫଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
ନଭେମ୍ବର 10 ତାରିଖ ସନ୍ଧ୍ୟାରେ ଖଜୁରିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଶରିଫ ଓରଫ ସୁହେଲ ନିଜ ପୁଅ ସହ ବାଇକ୍ ରେ ବଦନପୁରୀ ଆକିଲପୁର ସ୍ଥିତ ଘରକୁ ଯାଉଥିଲେ। ବାଇକ୍ ପୁଅ ଚଲାଉଥିଲା। ସେତିକି ବେଳେ ପଛରୁ ଅପାଚେ ବାଇକ୍ ରେ ଆସିଥିବା ଦୁଇ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି ମାରି ଫେରାର ହୋଇଯାଇଥିଲେ।
ଗୁଳି ଲାଗିବା ପରେ ସେ ବାଇକ୍ ସହ ଖେତରେ ପଡ଼ି ଯାଇଥିଲେ। ପୁଅର ଖବର ପାଇ ପୋଲିସ୍ ପହଞ୍ଚି ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲ୍ କୁ ପଠାଯାଇଛି।
31 ଡିସେମ୍ବର 2007 ଏବଂ 1 ଜାନୁଆରୀ 2008 ମଧ୍ୟ ରାତିରେ ରାମପୁର CRPF କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା। ସେଥିରେ CRPF ର 7 ଯବାନ ସହିଦ ହୋଇଥିଲେ ଏବଂ ଜଣେ ରିକ୍ସା ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।
2019 ରେ ରାମପୁର ସେସନ୍ କୋର୍ଟ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡ ଦେଇଥିଲେ। କିନ୍ତୁ ଅକ୍ଟୋବର 2025 ରେ ଆଲାହାବାଦ ହାଇକୋର୍ଟ ସାକ୍ଷ୍ୟ ଅଭାବରୁ ତାଙ୍କୁ ଖଲାସ କରି ଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟରେ ଆପିଲ୍ କରିଥିଲେ। ଶରିଫ ପ୍ରାୟ ଏକ ବର୍ଷ ପୂର୍ବେ ଜେଲ୍ ରୁ ବାହାରି ଗାଁରେ ରହୁଥିଲେ।
ପରିବାର କାହା ସହ ଶତ୍ରୁତା ଥିବା କଥାକୁ ମନା କରିଛି। ଘଟଣା ଥାନାରୁ ମାତ୍ର 200 ମିଟର ଦୂରରେ ଘଟିଛି। SP ଅନିଲ୍ ସିଂହ ସିସୋଦିଆଙ୍କ କହିବା ଅନୁସାରେ ପୋଲିସ୍ ତଦନ୍ତ କରୁଛି ଏବଂ ଆକ୍ରାମଣକାରୀଙ୍କୁ ଖୋଜା ଚାଲିଛି।
ଫାଶୀରୁ ଖଲାସ ହେବାର ଏକ ବର୍ଷ ଭିତରେ ହିଁ ଏଭଳି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।


