ନୂଆଦିଲ୍ଲୀ: ଦେଶର ପୂର୍ବ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି। ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଗଦୀପ ଧନଖଡ଼ ହଠାତ୍ ଅଚେତ୍ ହୋଇ ପଡ଼ି ଯାଇଥିଲେ। କିଛି ମିନିଟ୍ ଯାଏଁ ସେ ଅଚେତ୍ ଅବସ୍ଥାରେ ଥିଲେ। ଘଟଣା ପରେ ତାଙ୍କ ସହ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ PCR ଗାଡ଼ିରେ ଘରକୁ ନେଇଥିଲେ।
ଏହା ପରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ୍ ବିଲିୟାରୀ ସାଇନ୍ସେସ୍ (ILBS) ର ମେଡିକାଲ୍ ଟିମ୍ ଏବଂ AIIMS ର ବରିଷ୍ଠ ଡାକ୍ତର ସନ୍ଦୀପ ସେଠ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ AIIMS ନିଆଗଲା।
ଏବେ କେମିତି ଅଛନ୍ତି?
ପିଟିଆଇ ରିପୋର୍ଟ ଅନୁସାରେ, ପୂର୍ବ ଉପରାଷ୍ଟ୍ରପତିଙ୍କୁ AIIMS ର କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସେଠାରେ କାର୍ଡିଓଲୋଜି ବିଭାଗର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଏଯାଏଁ AIIMS ତରଫରୁ କୌଣସି ଅଫିସିଆଲ୍ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇନାହିଁ।
ପୂର୍ବରୁ ବି ବିଗିଡ଼ିଥିଲା ସ୍ୱାସ୍ଥ୍ୟ:
ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ଜାନୁଆରୀ ୧୦ ତାରିଖରେ ସେ ବାଥରୁମ୍ ରେ ଦୁଇ ଥର ଅଚେତ୍ ହୋଇ ପଡ଼ି ଯାଇଥିଲେ। ସେତେବେଳେ ମଧ୍ୟ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇ ଆବଶ୍ୟକ ଯାଞ୍ଚ ସହ MRI ସ୍କାନ୍ କରାଯାଇଥିଲା।
ସୂଚନା ଥାଉ କି, କ୍ରମାଗତ ଖରାପ ହେଉଥିବା ସ୍ୱାସ୍ଥ୍ୟ ଏବଂ ଡାକ୍ତରଙ୍କ ପରାମର୍ଶକୁ ଦର୍ଶାଇ ଜଗଦୀପ ଧନଖଡ଼ ଭାରତର ୧୪ତମ ଉପରାଷ୍ଟ୍ରପତି ପଦରୁ ହଠାତ୍ ଇସ୍ତଫା ଦେଇଥିଲେ। ସେ ଏକ୍ସ ରେ ପୋଷ୍ଟ କରି କହିଥିଲେ ଯେ, ‘ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବା ଏବଂ ଚିକିତ୍ସା ପରାମର୍ଶ ମାନିବା ପାଇଁ ମୁଁ ସମ୍ବିଧାନର ଧାରା ୬୭(ଏ) ଅନୁସାରେ ତତ୍କାଳ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି।’


