ଭୁବନେଶ୍ୱର: ମୁଣ୍ଡ ଗୁଞ୍ଜିବାକୁ ନିଜର ଖଣ୍ଡିଏ ଜାଗା ନାହିଁ। ବର୍ଷ ବର୍ଷ ଧରି ସରକାରୀ ଜମି ଖଣ୍ଡିଏ ପାଇଁ ଅପେକ୍ଷା କରି ରହିଛନ୍ତି ହଜାର ହଜାର ପରିବାର। କାହା ପାଇଁ ଝାଟିମାଟି ଘର ହିଁ ଏକମାତ୍ର ଆଶ୍ରୟ ତ ଆଉ କାହା ପାଇଁ ପରଘରେ ମୁଣ୍ଡ ଗୁଞ୍ଜିବା ହିଁ ନିତିଦିନିଆ ଜୀବନ। ଏଭଳି ବାସହୀନ ପରିବାରଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଆଶ୍ୱସ୍ତି। ବସୁନ୍ଧରା ଯୋଜନାରେ ମାଗଣା ଘରଡିହ ପାଇବା ପାଇଁ ଥିବା ବାର୍ଷିକ ଆୟସୀମାକୁ ସରକାର ୧ ଲକ୍ଷରୁ ବଢ଼ାଇ ୧.୫୦ ଲକ୍ଷ ଟଙ୍କା କରିଛନ୍ତି। ଅର୍ଥାତ୍ ଏଣିକି ବାର୍ଷିକ ଆୟ ଦେଢ଼ ଲକ୍ଷ ଟଙ୍କା ମଧ୍ୟରେ ଥିବା ଯୋଗ୍ୟ ବାସହୀନ ପରିବାର ମାଗଣାରେ ୪ ଡେସିମିଲ ଘରଡିହ ପାଇପାରିବେ।
ଏହି ନୂଆ ନିୟମ ଲାଗୁ ହେବା ପରେ ରାଜ୍ୟର ଅଧିକ ସଂଖ୍ୟକ ଗରିବ ଓ ଭୂମିହୀନ ପରିବାର ସରକାରୀ ଜମି ପାଇବାର ପରିସରକୁ ଆସିବେ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ, ୧୯୭୨ର ଧାରା ୩ର ଉପଧାରା (୨), ଖଣ୍ଡ (ଏ-୨) ଅନୁଯାୟୀ ଏହି ଆୟସୀମା ନିର୍ଦ୍ଧାରଣ କରାଯାଇଛି। ଏଥିସହ ୨୦୨୩ ଫେବ୍ରୁଆରି ୨୨ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି।
ତେବେ ଏହି ଯୋଜନାରେ ଜମି ପାଇବା ପାଇଁ କେବଳ ଆୟସୀମା ପୂରଣ କରିଦେଲେ ହେବ ନାହିଁ। ହିତାଧିକାରୀ ଓ ତାଙ୍କ ସହ ଏକାଠି ରୋଷେଇ କରି ରହୁଥିବା ପରିବାର ସଦସ୍ୟଙ୍କ ନାମରେ ରାଜ୍ୟର କୌଣସି ସ୍ଥାନରେ ଘରଡିହ ନଥିବା ଆବଶ୍ୟକ। ଏହାବ୍ୟତୀତ ଘରଡିହକୁ ବାଦ୍ ଦେଲେ ମୋଟ ଜମିର ପରିମାଣ ଏକ ଏକରରୁ କମ୍ ହୋଇଥିବା ଦରକାର। ଏହି ସର୍ତ୍ତ ପୂରଣ କରୁଥିବା ଯୋଗ୍ୟ ପରିବାର ବସୁନ୍ଧରା ଯୋଜନାରେ ଜମି ପାଇବାକୁ ହକ୍ଦାର ହେବେ।
ସର୍ଭେରେ ଲକ୍ଷେରୁ ଅଧିକ ବାସହୀନ, ଜମି ପାଇଛନ୍ତି ମାତ୍ର ୩୪ ହଜାର
ରାଜ୍ୟରେ ବାସହୀନଙ୍କ ସଂଖ୍ୟା ଓ ସେମାନଙ୍କୁ ଜମି ଯୋଗାଣର ଚିତ୍ର କିନ୍ତୁ ଭିନ୍ନ କାହାଣୀ କହୁଛି। ରାଜସ୍ୱ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪ ଓ ୨୦୨୫ ମସିହାରେ ହୋଇଥିବା ସର୍ଭେରେ ପ୍ରାରମ୍ଭିକ ଭାବେ ମୋଟ ୧,୦୧,୫୩୫ ଜଣ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। କିନ୍ତୁ କ୍ଷେତ୍ରସ୍ତରୀୟ ତଦନ୍ତ ପରେ ଏମାନଙ୍କ ମଧ୍ୟରୁ ୪୪,୯୦୯ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ସେଥିରୁ ଏଯାବତ୍ ୩୪,୨୫୧ ଜଣଙ୍କୁ ଜମି ଆବଣ୍ଟନ ହୋଇଛି। ବାକି ୧୦,୬୫୮ ଜଣ ଏବେ ବି ଜମି ଅପେକ୍ଷାରେ ଅଛନ୍ତି।
୨୦୨୪ର ସର୍ଭେରେ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଯାଞ୍ଚ ପରେ ୩୩,୦୮୨ ଜଣ ଯୋଗ୍ୟ ହୋଇଥିବାବେଳେ ୩୦,୬୫୩ ଜଣଙ୍କୁ ଜମି ଦିଆଯାଇଛି। ଅନ୍ୟପଟେ ୨୦୨୫ରେ ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ମିଳିଥିବାବେଳେ ୮,୨୨୯ ଜଣଙ୍କୁ ଜମି ଦେବା ପ୍ରକ୍ରିୟା ଜାରି ରହିଛି।
ଏହି ତଥ୍ୟରୁ ସ୍ପଷ୍ଟ ଯେ, ସରକାରଙ୍କ ନିକଟରେ ବାସହୀନଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ସମସ୍ତ ଯୋଗ୍ୟ ପରିବାରଙ୍କୁ ଜମି ଯୋଗାଇବା ଏବେ ବି ଏକ ବଡ଼ ଆହ୍ୱାନ ହୋଇ ରହିଛି। ଆୟସୀମା ବୃଦ୍ଧି ପରେ ଆହୁରି ୪୦ ହଜାରରୁ ଅଧିକ ବାସହୀନ ପରିବାର ଏହି ଯୋଜନାରୁ ଲାଭ ପାଇବାର ସୁଯୋଗ ପାଇବେ ବୋଲି ଆକଳନ କରାଯାଉଛି।
ଜମି ମିଳୁଛି, ହେଲେ ଘର କରିବେ କେଉଁଠି?
ବସୁନ୍ଧରା ଯୋଜନାର ଉଦ୍ଦେଶ୍ୟ ବାସହୀନଙ୍କୁ ଘରଡିହ ଯୋଗାଇ ଦେବା। କିନ୍ତୁ ଯୋଜନାର ବାସ୍ତବ ସଫଳତା କେବଳ ଜମି ଆବଣ୍ଟନରେ ସୀମିତ ରହିପାରିବ ନାହିଁ। କାରଣ ଜମି ପାଇବା ପରେ ମଧ୍ୟ ଅନେକ ହିତାଧିକାରୀ ସେଠାରେ ଘର ନିର୍ମାଣ କରୁନାହାନ୍ତି। ଏହା ପଛରେ ରହିଛି ଜମିର ଅବସ୍ଥିତି ଓ ମୌଳିକ ସୁବିଧାର ଅଭାବ।
ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ ନଦୀକୂଳ, ପାହାଡ଼ ତଳ କିମ୍ବା ଗାଁ ଓ ଜନବସତିଠାରୁ ବହୁ ଦୂରରେ ଜମି ଆବଣ୍ଟନ କରାଯାଉଛି। ଏଭଳି ସ୍ଥାନରେ ଘର ନିର୍ମାଣ କଲେ ଜୀବିକା, ଯାତାୟାତ, ପିଲାଙ୍କ ପାଠପଢ଼ା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହେବାର ଆଶଙ୍କା ରହୁଛି। ତେଣୁ ହିତାଧିକାରୀମାନେ ଗାଁ ନିକଟରେ କିମ୍ବା ଜନବସତି ପାଖରେ ଜମି ଚାହୁଁଛନ୍ତି। ହେଲେ ସରକାରୀ ଜମିର ଅଭାବ ଯୋଗୁଁ ସେମାନଙ୍କ ପସନ୍ଦ ଅନୁଯାୟୀ ଜମି ଦେବା ସମ୍ଭବ ହେଉନାହିଁ।
ଅନ୍ୟ ରାଜ୍ୟର ମଡେଲ୍ ଆପଣାଇବେ କି ଓଡ଼ିଶା ସରକାର?
ବାସହୀନଙ୍କୁ ଘରଡିହ ଯୋଗାଇବା କ୍ଷେତ୍ରରେ ଦେଶର ଅନ୍ୟ କେତେକ ରାଜ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଘରକୂଳ ଜାଗା ଖାରେଦି ଅର୍ଥ ସହାୟ ଯୋଜନା’ରେ ହିତାଧିକାରୀଙ୍କୁ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ଜମି କିଣିବା ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ବିହାରରେ ‘ମୁଖ୍ୟମନ୍ତ୍ରୀ ଆବାସସ୍ଥଳ କ୍ରୟ ସହାୟତା ଯୋଜନା’ରେ ୬୦ ହଜାର ଟଙ୍କା ଦିଆଯାଉଛି। ତାମିଲନାଡ଼ୁରେ ହିତାଧିକାରୀଙ୍କ ପସନ୍ଦ ଅନୁଯାୟୀ ଗ୍ରାମାଞ୍ଚଳରେ ଜମି ଯୋଗାଇବା ବ୍ୟବସ୍ଥା ରହିଛି।
ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳୁଛି। କେରଳରେ ତ ହିତାଧିକାରୀଙ୍କୁ ଜମି ଯୋଗାଇବା ସହ ଘର ନିର୍ମାଣ କରି ଦେବା ଭଳି ବ୍ୟବସ୍ଥା ମଧ୍ୟ ରହିଛି।
ଏହି ମଡେଲ୍ଗୁଡ଼ିକୁ ଦେଖି ଓଡ଼ିଶାରେ ମଧ୍ୟ ବାସହୀନଙ୍କ ପାଇଁ ଜମି କ୍ରୟ ସହାୟତା କିମ୍ବା ପସନ୍ଦର ସ୍ଥାନରେ ଜମି ଯୋଗାଇବା ଭଳି ବିକଳ୍ପ ବ୍ୟବସ୍ଥା ଲାଗୁ କରିବାକୁ ଦାବି ହେଉଛି। ରାଜ୍ୟ ସରକାର ଏ ଦିଗରେ ବିଚାର କରୁଥିବା ମଧ୍ୟ ଜଣାପଡ଼ିଛି।
ଆୟସୀମା ବୃଦ୍ଧି ନୂଆ ଆଶା ସଞ୍ଚାର କରିଛି। କିନ୍ତୁ ପ୍ରକୃତ ଲକ୍ଷ୍ୟ ହାସଲ ହେବ ସେତେବେଳେ, ଯେତେବେଳେ ବାସହୀନ ପରିବାର କେବଳ କାଗଜରେ ଜମି ନୁହେଁ, ବରଂ ନିଜ ଜୀବନ ଓ ଜୀବିକା ପାଇଁ ଉପଯୁକ୍ତ ସ୍ଥାନରେ ଘର ତୋଳିବାର ସୁଯୋଗ ପାଇବେ।


